ପୁରୀ: ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ନେଦଇ କଟକଣା ଥିବା ସ୍ୱତେ ଏହାକୁ କିଛି ସେବାୟତ ମାନିନାହାନ୍ତି । ରଥ ଉପରେ ସେବାୟତ ମାନେ ଫୋନ୍ ବ୍ୟବହାର କରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ରଥରେ ସେବାୟତ ମାନେ ବିଭିନ୍ନ ଭିଡ଼ିଓ ଏବଂ ଫଟୋ ଉଠାଉଥିଲେ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ସହ ଗ୍ରହଣ କରି ସମ୍ପୃକ୍ତ ସେବାୟତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଂହଦ୍ୱାର ଥାନାକୁ ଚିଠି ଲେଖାଯାଇଛି । ଏଥିସହ ୭ଜଣ ସେବାୟତଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀ ଥାନାରେ ରିପୋର୍ଟ କରିଥିବା ବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟରେ ଉଳ୍ଲେଖ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଚଳିତବର୍ଷ ରଥଯାତ୍ରା ସମୟରେ ରଥ ଉପରକୁ ମୋବାଇଲ ଫୋନ୍ ନେବା ଓ ବ୍ୟବହାର କରିବା ଉପରେ କଟକଣା ଲାଗୁ କରାଯାଇଥିଲା । ଏହାସ୍ୱତେ ବି କେତେଜଣ ସେବାୟତ କଟକଣା ମାନିନଥିଲେ । ଯାହାଫଳରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାକୁ ଚିଠି ଲେଖିଛି । ରଥରେ ମୋବାଇଲ ଫୋନ୍ ବ୍ୟବହାର କେବଳ ରୀତିନୀତିର ପବିତ୍ରତାକୁ ବିଗାଡ଼ି ଦେଉନାହିଁ, ବରଂ ଜୀବନ ଓ ସମ୍ପତିର ସୁରକ୍ଷା ନେଇ ବିପଦ ସୃଷ୍ଟି କରୁଛି ।