ପୁରୀ: ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଛନ୍ତି ଦାରୁବ୍ରହ୍ମ। ତେବେ ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ପୁଣି ଆରମ୍ଭ ହେବ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଆଜିଠୁ ପୁଣି ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ତେବେ ମହାପ୍ରଭୁଙ୍କର ପ୍ରଥମ ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛି। ତେଣୁ ସକାଳୁ ପ୍ରହରରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସଭିଙ୍କ ମନରେ ରହିଛି ମହାପ୍ରଭୁଙ୍କୁ ଦର୍ଶନ କରି ମହାସୁଖ ପ୍ରାପ୍ତି କରିବା।
ମଙ୍ଗଳବାର ରଥ ଉପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ସରିବା ପରେ ଚାର ବନ୍ଧା ଯାଇଥିଲା। ପାଳିଆ ସେବକ ସିଂହାସନ ମାଜଣା କରିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଘଣ୍ଟୁଆଙ୍କ ଘଣ୍ଟବାଦ୍ୟ, ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର। ବୀର କାହାଳୀ ବାଜିବା ମାତ୍ରେ ଆରମ୍ଭ ହୋଇଥିଲା ପହଣ୍ଡି। ପୁଷ୍କାଳକ ମହାଜନ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ବିଜେ କରାଇଥିଲେ। ଏହାପରେ ଚକ୍ରରାଜ ଶ୍ରୀସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରିଥିଲେ। ନନ୍ଦିଘୋଷ ରଥରୁ କାଳିଆ ଠାକୁର ଶ୍ରୀଜଗନ୍ନାଥ ଓହ୍ଲାଉଥିବା ଖବର ପାଇ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ବିଜେ କରିଥିଲେ।
ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତ ଜନନୀଙ୍କ ମଧ୍ୟରେ ଭେଟ ହୋଇଥିଲା। ଭିତରଛ ସେବକ ଲକ୍ଷ୍ମୀ ସାଆନ୍ତାଣୀଙ୍କ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା କରିଥିଲେ। ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ସିଂହଦ୍ୱାର କିଛି ସମୟ ବନ୍ଦ କରାଯାଇଥିଲା। ଭକ୍ତ ଓ ସେବକଙ୍କ ଗହଣରେ ମହାପ୍ରଭୁ ଝୁଲି ଝୁଲି ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ। ଏହାପରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯାଇଥିଲେ ମହାପ୍ରଭୁ।