ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ବଡ଼ଦାଣ୍ଡରେ ଭକ୍ତଙ୍କ ସହ ଲୀଳାଖେଳା ସାରି ମଙ୍ଗଳବାର ନୀଳକନ୍ଦରକୁ ବିଜେ ହେଇଛନ୍ତି ଶ୍ରୀଜିଉ। ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ପ୍ରଥମେ ରତ୍ନ ସିଂହାସନକୁ ନେଇଥିଲେ ସେବାୟତ ।ଏହା ପରେ ଦେବୀ ସୁଭଦ୍ରାଙ୍କ ନୀଳାଦ୍ରି ବିଜେ ନୀତି ଶେଷ ହୋଇଥିଲା । ଶେଷରେ ଥିଲା କାଳିଆ ସାଆନ୍ତଙ୍କ ପାଳି । ଏଥିସହ ଚଳିତ ବର୍ଷ ଘୋଷ ଯାତ୍ରା ସଂପନ୍ନ ହୋଇଛି। ଆସନ୍ତାକାଲି ଭକ୍ତମାନେ ନୀଳାଚଳ ଅଭଡ଼ା ପାଇପାରିବେ।
ରତ୍ନବେଦୀରୁ ଯାଇ ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ । ରତ୍ନସିଂହାସନରେ ବିରାଜିତ ହୋଇଛନ୍ତି କାଳିଆ ସାଆନ୍ତେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ବହୁ ବିଳମ୍ବରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ମହାପ୍ରଭୁ ଟାହିଆ ପରିଧାନ କରି ନନ୍ଦିଘୋଷ ରଥ ଉପରେ ଥିବାବେଳେ ମା’ ମହାଲଷ୍ମୀ ଚାହାଣୀ ମଣ୍ଡପକୁ ଆସିଥିଲେ । ସିଂହଦ୍ୱାର ବନ୍ଦ ରହିଥିଲା ।
ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିଥିଲେ । ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ । ତେଣୁ ସିଂହଦ୍ୱାର ଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହେବା ପରେ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ମହାଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବନ୍ଦ କରିଥିଲେ । ସେଠାରେ ପୁନର୍ବାର ବଚନିକା ହୋଇଥିଲା । ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥିଲେ ।
ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରିବା ପରେ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ଶେଷରେ ମହାପ୍ରଭୁ ରସଗୋଲା ଖୁଆଇ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ । ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇଥିଲେ । ପହଣ୍ଡି ଶେଷ ପରେ ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ । ଆସନ୍ତାକାଲି ପ୍ରଥମ ନୀଳାଚଳ ଅବଢ଼ା ବାହାରିବ।