ସମ୍ବଲପୁର: ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ୨୦ ଗୋଟି ଗେଟ୍ ଖୋଲାଯାଇଥିଲା । କିନ୍ତୁ ଆଜି ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଯାହା ଫଳରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର କମିପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, ଗତ ୬ ତାରିଖ (ରବିବାର) ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ପ୍ରଥମେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦ ଜଳଭଣ୍ଡାରର ବାମପଟେ ଥିବା ୭ ନମ୍ବର ଗେଟ୍ ଯୋଗେ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ତେବେ ଜଳନିଷ୍କାସନ ପୂର୍ବରୁ ସତର୍କତା ମୂଳକ ସାଇରାନ ବାଜିଥିଲା। ହୀରାକୁଦ ଜଳଭଣ୍ଡାରରୁ ବାମପଟେ ୮ ଗୋଟି ଓ ଡାହାଣ ପଟେ ୪ ଗୋଟି ମୋଟ ୧୨ ଗୋଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଜଳଭଣ୍ଡାରରେ ପ୍ରବଳ ପାଣି ପସୁଥିବାବେଳେ କମ ଜଳ ନିଷ୍କାସନ ହେଉଥିଲା । କିନ୍ତୁ ଏବେ ବର୍ଷା କମିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି ।