ପୁରୀ: ଶ୍ରୀମନ୍ଦିରରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର କାମ ସମ୍ପୂର୍ଣ୍ଣ ହୋଇ ସାରିଛି । ଆସନ୍ତା ଅଗଷ୍ଟ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ନୂତନ ତାଲିକା ପ୍ରସ୍ତୁତ କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ସେହି ଅଳଙ୍କାରକୁ ରଖିବାକୁ ନୂତନ "ସିନ୍ଦୁକ" ମଧ୍ୟ ପ୍ରସ୍ତୁତ କରାଯାଇଛି । ଦୁଇଜଣ ବିଶେଷଜ୍ଞ ପଠାଇବାକୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଅନୁରୋଧ କରାଯିବ । ସୋମନାଥ ମନ୍ଦିର ଏବଂ ଅନ୍ୟାନ୍ୟ ବଡ଼ ମନ୍ଦିରରେ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବାରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଗତକାଲି ରତ୍ନଭଣ୍ଡାର ସୁରକ୍ଷା ଏବଂ ସଂରକ୍ଷଣ କାମ ସମାପ୍ତ ହେଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି । ଅତି କମ୍ରେ ରତ୍ନଭଣ୍ଡାର ୨୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏହା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ରହିଥିବା ରତ୍ନ ଅଳଙ୍କାରକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ୧୯୭୮ରେ ଶେଷ ଗଣତି ହୋଇଥିଲା । ଅଳଙ୍କାର ପୁଣି ଥରେ ଗଣତି କରାଯାଇ ତାଲିକା ସହିତ ମେଳ କରାଯିବ ।
ରାଜ୍ୟ ନୂତନ ସରକାର ଆସିବା ପରେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିଥିଲେ । ଅଗଷ୍ଟ ୨୩ରେ ରତ୍ନ ଭଣ୍ଡାରରୁ ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଥିଲା । ସେପ୍ଟେମ୍ବର୨୪ରେ ଏଏସ୍ଆଇର ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ଡିସେମ୍ବର ୧୭ ଠାରୁ ମରାମତି କାମ ଆରମ୍ଭ ହୋଇଥିଲା । ପ୍ରାୟ ୪୦ ବର୍ଷ ପରେ ରତ୍ନଭଣ୍ଡାରର ମରାମତି କରାଯାଇଛି । ମୋଟ୍ ୯୫ ଦିନରେ ୩୩୩ ଘଣ୍ଟାର ମରାମତି କାମ ହୋଇଛି । ଏହି ସମୟ ଭିତରେ ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ସେହିପରି ପଥର ବଦଳାଯିବା ସହିତ ଚଟାଣକୁ ନୂଆ ଗ୍ରାନାଇଟ୍ କରାଯାଇଛି । ଏଏସ୍ଆଇର ଟେକ୍ନିକାଲ୍ ଟିମ୍ ସହିତ ୮୦ ଜଣ କର୍ମଚାରୀ ସାମିଲ ହୋଇଥିଲେ ।