ଭୁବନେଶ୍ୱର: ରାଜ୍ୟ ସରକାର କାରାଗାରରେ ସଂଶୋଧନମୂଳକ ସଂସ୍କାର ଏବଂ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ଉପକାରଗାରକୁ ଜିଲ୍ଲା ମୁଖ୍ୟ କାରାଗାରରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜେଲଗୁଡିକ ସହିତ ମିଶ୍ରଣ ପରେ ଉକ୍ତ ଉପକାରାଗାରଗୁଡିକୁ ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପଡ଼ା ଉପ-କାରାଗାରକୁ ନୟାଗଡ଼, ନୀଳଗିରିକୁ ଉପ-କାରାଗାରକୁ ବାଲେଶ୍ୱର ଏବଂ ସୋହେଲା ଉପ କାରାଗାରକୁ ବରଗଡ଼ ଜିଲ୍ଲା କାରାଗାରେ ମିଶ୍ରଣ କରାଯିବ ।
ଉପରୋକ୍ତ ଜେଲଗୁଡ଼ିକୁ ଅଧିସୂଚିତ ଜେଲ ତାଲିକାରୁ ବାଦ କରାଯାଇଛି । ଏହା ପରେ ଜେଲ ଏବଂ ସଂଶୋଧନ ସେବା ପାଇଁ ଜେଲ ଡିଜି ଏବଂ ଆଇଜି ଆବଶ୍ୟକ ପଦକ୍ଷେପ ନେବେ । ବିଚାରାଧୀନ ଏବଂ ଦୋଷୀ ସାବ୍ୟସ୍ତ କଏଦୀମାନଙ୍କୁ ମିଶ୍ରଣ ଜେଲକୁ ସ୍ଥାନାନ୍ତର ନିଶ୍ଚିତ କରିବେ । ସେହିପରି ଗୃହ ବିଭାଗର ପରାମର୍ଶକ୍ରମେ କର୍ମଚାରୀ ଏବଂ ସମ୍ବଳ ପୁନଃବଣ୍ଟନ କରିବେ । ଯେପର୍ଯ୍ୟନ୍ତ ସେଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ବ୍ୟବହାର କିମ୍ବା ପୁନଃଉଦ୍ୟୋଗ ପାଇଁ ହସ୍ତାନ୍ତର କରାଯାଇନାହିଁ ସେପର୍ଯ୍ୟନ୍ତ ଅଧିସୂଚିତ ଜେଲଗୁଡ଼ିକର କୋଠା ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବେ । ଏହା ସମ୍ପର୍କରେ ସମସ୍ତ ସରକାରୀ ରେକର୍ଡକୁ ଅନୁଧ୍ୟାନ କରି ନ୍ୟାୟପାଳିକା, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବାକୁ ନିର୍ଦ୍ଦେଶ ରହିଛି ।