ଭୁବନେଶ୍ୱର: ମନମୋହନ ସାମଲ ଚତୁର୍ଥ ଥର ସଭାପତି ହୋଇଛନ୍ତି ଏବଂ ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇଛନ୍ତି । ଏହି ଯୋଡ଼ାକୁ ଘୋଡା ସରି ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରର ୧୧ (ବର୍ଷ), ରାଜ୍ୟର ୧ ମିଶି ୧୨ କିନ୍ତୁ ଏହା ଆଗକୁ ୧୧୧ ହେବ । ସଙ୍ଗଠନ ଓ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଏହି ଦୁଇ ପାର୍ଶ୍ୱ ଆଜି ଗୋଟିଏ ହୋଇ କାମ କରିବାର ସଂକଳ୍ପ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମନମୋହନ ସାମଲ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଦଳୀୟ କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ମନମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୀଳାଦ୍ରି ବିଜେ ଭଳି ଏକ ଶୁଭ ଦିନରେ ମନମୋହନ ସାମଲ ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି । ସେ ଯେତେବେଳେ ବିଜେପି ପାଇଁ କାମ କରିଛନ୍ତି ବିଜେପି ପାଇଁ ଶୁଭ ସଙ୍କେତ ଆସିଛି । ୨୦୦୦ରେ ମନମୋହନ ଦାୟିତ୍ୱରେ ଥିବାବେଳେ ମେଣ୍ଟ କରି ସରକାର ଗଢ଼ିଥିଲୁ । ସେହିପରି ତାଙ୍କ ନେତୃତ୍ୱରେ ୨୦୨୪ରେ ସରକାରକୁ ଆସିଲୁ ।
ସମୟ ବଡ଼ ବଳବାନ । ସମୟ ଆସିଲା ଭାରତୀୟ ଜନତା ପାର୍ଟି ଡବଲ୍ ଇଞ୍ଜିନ୍ ସରକାର ଗଢ଼ିଛି । ଅସମ୍ଭବକୁ ସମ୍ଭବ କରିବା ମହାପ୍ରଭୁ ଜଗନ୍ନାଥ କରନ୍ତି । ସେହିପରି ୨୧ରୁ ୨୦ ସାଂସଦଙ୍କୁ ଜିତାଇବା ଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମନମୋହନ । ସେଥିପାଇଁ ଓଡ଼ିଶା ଆଜି ଭାରତ ବର୍ଷରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଜେପି ଏକ ଭିନ୍ନ ପରିଚୟର ଦଳ, ନୀତି ଆଦର୍ଶର ଦଳ ଏବଂ ରାଷ୍ଟ୍ରବାଦୀ ଦଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।