ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ବ୍ରିକ୍ସ ଦେଶ ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ଏହି ଦେଶଗୁଡିକ ଉପରେ ଶୀଘ୍ର ୧୦ ପ୍ରତିଶତ ଟାରିଫ ଲାଗିବ । ହ୍ୱାଇଟ ହାଉସରେ ନିଜର କ୍ୟାବିନେଟ୍ ଅଧିକାରୀଙ୍କ ସହିତ ବୈଠକ ସମରେ ଟ୍ରମ୍ପ କହିଛନ୍ତି, ଯେଉଁ ବି ଦେଶ ବ୍ରିକ୍ସରେ ସାମିଲ, ସେମାନଙ୍କ ଉପରେ ଶୀଘ୍ର ୧୦ ପ୍ରତିଶତ ଶୁଳ୍କ ଲଗାଯିବ ।
ଟ୍ରମ୍ପଙ୍କ ଏହି ବୟାନରୁ ସ୍ପଷ୍ଟ ଜଣା ପଡିଛି ଯେ ଆମେରିକା, ବ୍ରିକ୍ସ ଗ୍ରୁପରେ ସାମିଲ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ବିରୋଧରେ କଡା ଆଭିମୁଖ୍ୟ ଆପଣେଇପାରେ । ଟ୍ରମ୍ପଙ୍କ ଏହି ଘୋଷଣା ସେହି ସମୟରେ ଆସିଛି ଯେତେବେଳେ ବିଶ୍ୱରେ ବ୍ରିକ୍ସ ଗ୍ରୁପ ନିଜର ବୈଶ୍ୱିକ କାରବାର ଓ କୂଟନୀତି ମଜବୁତ କରିବା ଏବଂ ଅନ୍ୟ ଦେଶ ଏଥିରେ ସାମିଲ ହେବାକୁ ରୁଚି ପ୍ରକାଶ କରିବା । ଆମେରିକାର ଏହି ପଦକ୍ଷେପରେ ଭାରତ ସମେତ ବ୍ରିକ୍ସ ଦେଶର ଆମେରିକା ବଜାରରେ ସାମଗ୍ରୀ ବିକିବା ମହଙ୍ଗା ହୋଇଯିବ । ଏଥିରେ ଦ୍ୱିପାକ୍ଷିକ କାରବାର ସମ୍ବନ୍ଧ ଉପରେ ପ୍ରଭାବ ପଡିପାରେ ।
ଏଏଫପି ମୁତାବକ, ଟ୍ରମ୍ପ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ, ଆମେରିକା ତମ୍ବା(କପର)ର ଆମଦାନୀ ଉପରେ ୫୦ ପ୍ରତିଶତ ଶୁକ୍ଳ ଲଗାଇବାକୁ ଯାଉଛି । ହ୍ୱାଇଟ ହାଉସରେ ଆୟୋଜିତ କ୍ୟାବିନେଟ୍ ମିଟିଂ ସମୟରେ ତମ୍ବା ଉପରେ ଟାରିଫ ଲଗାଇବା ନେଇ ନିପ୍ପତ୍ତି ହୋଇଛି ।
ଏହା ସହିତ ଟ୍ରମ୍ପ ଔଷଧର ଆମଦାନୀ ଉପରେ ମଧ୍ୟ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆମେରିକା ଶୀଘ୍ର ଔଷଧ ଉପରେ ଏକ ବଡ ଘୋଷଣା କରିବା ଏବଂ ଅତି କମରେ ଗୋଟିଏ ବର୍ଷ ପରେ ଔଷଧ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇପାରେ । ଟ୍ରମ୍ପଙ୍କ କହିବା କଥା ଆମେରିକା ଏବେ ପ୍ରତିଟି ସେହି ସେକ୍ଟରକୁ ଟାର୍ଗେଟ୍ କରିବ ଯାହା ଘରୋଇ ଉଦ୍ୟୋଗକୁ କ୍ଷତି ପହଞ୍ଚାଉଛି ।