ନୂଆଦିଲ୍ଲୀ: ଆସିଲା ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB ) ଏୟାର ଇଣ୍ଡିଆ171 ଦୁର୍ଘଟଣା ସମ୍ପର୍କରେ ଏହାର ପ୍ରାରମ୍ଭିକ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛି। ଉଚ୍ଚ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ପ୍ରାଥମିକ ମୂଲ୍ୟାଙ୍କନ ଏବଂ ପ୍ରାରମ୍ଭିକ ନିଷ୍କର୍ଷ ଉପରେ ଆଧାରିତ ଏହି ରିପୋର୍ଟ ଏହି ସପ୍ତାହ ଶେଷରେ ସାର୍ବଜନୀନ ହେବ ବୋଲି ଆଶା କରାଯାଉଛି।
ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମେଡିକାଲ୍ କଲେଜ ହଷ୍ଟେଲ ଉପରେ ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀଙ୍କ ସମତେ ତଳେ ଥିବା ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।
AI171ର CVR ଏବଂ FDR ଉଭୟ ଉଦ୍ଧାର କରାଯାଇଥିଲା। ଏଥିମଧ୍ୟରୁ ପ୍ରଥମଟି ଜୁନ୍ ୧୩, ୨୦୨୫ରେ ଦୁର୍ଘଟଣାସ୍ଥଳରେ ଥିବା କୋଠାର ଛାତରୁ ଏବଂ ଦ୍ୱିତୀୟଟି ଜୁନ୍ ୧୬, ୨୦୨୫ରେ ଭଗ୍ନାବଶେଷରୁ ମିଳିଥିଲା। ଏୟାର ଇଣ୍ଡିଆ ବିମାନର ଦୁର୍ଭାଗ୍ୟଜନକ ଦୁର୍ଘଟଣା ପରେ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୧୩ ଜୁନ୍ ୨୦୨୫ରେ ଏକ ବହୁ-ଶାଖାଗତ ଦଳ ଗଠନ କରାଯାଇଥିଲା।
ବର୍ତ୍ତମାନ ପାରମ୍ଭିକ ରିପୋର୍ଟରେ ଫ୍ଲାଇଟ୍ ଡାଟା ରେକର୍ଡର୍ FDR ଏବଂ କକପିଟ୍ ଭଏସ୍ ରେକର୍ଡର CVRରୁ ମିଳିଥିବା ତଥ୍ୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ରାଡାର ତଥ୍ୟ ଏବଂ ବିମାନର କାର୍ଯ୍ୟଦକ୍ଷତା ନେଇ ପ୍ରାରମ୍ଭିକ ବୈଷୟିକ ମୂଲ୍ୟାଙ୍କନ ପରେ ରିପୋର୍ଟ ଉପସ୍ଥାପନ ହୋଇଛି। AAIB ଏପର୍ଯ୍ୟନ୍ତ ଏହି ରିପୋର୍ଟକୁ ସାଧାରଣ ଲୋକଙ୍କ ପାଇଁ ପ୍ରକାଶ କରିନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ଚୂଡ଼ାନ୍ତ ରିପୋର୍ଟ ଆସିବାର ଆଶା କରାଯାଉଛି। ଦୁର୍ଘଟଣା ପାଇଁ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପ୍ରକ୍ରିୟାଗତ ତ୍ରୁଟି ରହିଛି କି ନାହିଁ ଏହା ମଧ୍ୟ ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ।