ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମରେ ପ୍ରସାରିତ ହେଉଥିବା ପଞ୍ଚାୟର ୪ର୍ଥ ସଂସ୍କରଣ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଛି । ତିନୋଟି ସିଜିନ୍ ପରେ ନିକଟରେ ଚତୁର୍ଥ ସିଜିନ୍ ମୁକ୍ତିଲାଭ କରିଛି । ଉତ୍ତର ପ୍ରଦେଶର ଫୁଲେରା ଗ୍ରାମ ପଞ୍ଚାୟତକୁ ନେଇ କାହାଣୀ ଲେଖା ହୋଇଛି । ଯାହାକି କ୍ୟାମେରାରେ ଏକ ସୁନ୍ଦର ଗାଁ ପରିବେଶ ସହିତ ଲୋକଙ୍କ ସରଳ ଜୀବନ ଶୈଳୀକୁ ଦେଖାଇଛି । କିନ୍ତୁ ଅସଲି ଫୁଲେରା ପଞ୍ଚାୟତ ମଧ୍ୟ ପ୍ରଦେଶରେ । ଯାହାର ପ୍ରକୃତ ନାମ ସୀହୋର ଜିଲ୍ଲାର ମହୋଡ଼ିୟା ଗାଁ ଅଟେ । ଏହି ଗାଁରେ ହିଁ ପଞ୍ଚାୟତର ସମସ୍ତ ସିଜିନ୍ ଏହି ଗାଁରେ ହିଁ ସୁଟିଂ ହୋଇଛି । ଯାହାକୁ ଫୁଲେରା ନାମରେ ନାମକରଣ କରାଯାଇଛି ।
କ୍ୟାମେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଫୁଲେରା ପଞ୍ଚାୟତ (ମହୋଡ଼ିୟା)ର ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା । ଗାଁକୁ ଭଲ ରାସ୍ତା ନଥିବାବେଳେ ମହୋଡିୟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାଣି କାଦୁଅ ଠିଆ ହୋଇଛି । ସୋସିଆଲ୍ ମିଡ଼ିଆରେ ଗାଁରେ ବର୍ଷା ହେବା ପୂର୍ବର ଏବଂ ପରବର୍ତ୍ତୀ ସମୟର ଫଟୋ ବେଶ ଭାଇରାଲ ହେଉଛି । ପଞ୍ଚାୟତର ବ୍ରଜ ଭୂଷଣ ଦୁବେ ଏବଂ ଭୂଷଣ ଶର୍ମାଙ୍କ ପ୍ରଧାନ (ସରପଞ୍ଚ) ଦାୟିତ୍ୱରେ ଥିବାବେଳର ଅବସ୍ଥା ସହିତ ତୁଳନା କରାଯାଇଛି । ଅର୍ଥାତ୍ ବ୍ରଜ ଭୂଷଣ ଦୁବେ ପ୍ରଧାନ ଥିବାବେଳେ ଫୁଲେରା ଗ୍ରାମ ଏକଦମ ଚକାଚକ ଥିଲା କିନ୍ତୁ ଭୂଷଣ ଶର୍ମା ପ୍ରଧାନ ହେବା ପରେ ଗାଁର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।
ପଞ୍ଚାୟତ ୱେବ ସିରିଜ୍ ସମସ୍ତ ସିଜିନ୍ ମହୋଡ଼ିୟାରେ ସୁଟିଂ କରାଯାଇଛି । ଚତୁର୍ଥ ସିଜିନ୍ ସୁଟିଂ ମଧ୍ୟ ଦୀର୍ଘ ତିନି ମାସ ଧରି ଉକ୍ତ ଗ୍ରାମରେ ହୋଇଥିଲା । ସମସ୍ତ ଅଭିନେତା ଓ ଅଭିନେତ୍ରୀ ଉକ୍ତ ଗାଁରେ ସୁଟିଂ କରୁଥିଲେ । ତେବେ ଗ୍ରାମର ଅସଲ ନାମକୁ ବଦଳାଇ ଫୁଲେରା ରଖାଯିବାକୁ ନେଇ ମଧ୍ୟ ସ୍ଥାନୀୟ ଲୋକ ଆପତ୍ତି ଉଠାଇଛନ୍ତି । ୱେବ୍ ସିରିଜର ୭ଟି ପାର୍ଟ ଆସିବ ବୋଲି ଜଣାପଡ଼ିଛି । ଆଗାମୀ ଦିନରେ ପଞ୍ଚାୟତର ନାମ ବଦଳାଇବାକୁ ଦାବି କରିବେ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ପୂର୍ବତନ ସରପଞ୍ଚ ଲାଲ ସିଂହ ସିସୋଦିୟା । ସେହିପରି ୱେବ୍ ସିରିଜ୍ ପରେ ଗାଁକୁ ଅନେକ ଲୋକ ଦେଖିବାକୁ ଆସୁଛନ୍ତି । ତେଣୁ ସରକାର ଏହାକୁ ଆଦର୍ଶ ଗ୍ରାମରେ ଘୋଷଣା କରି ବିକାଶ କରିବା ଉଚିତ ବୋଲି ସେ କହିଛନ୍ତି ।