ନୂଆଦିଲ୍ଲୀ: ସିବିଆଇକୁ ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୨୩ ବର୍ଷ ଧରି ପଳାତକ ଥିବା ଅଭିଯୁକ୍ତ ମୋନିକା କପୁରଙ୍କୁ ଗିରଫ କରିଛି। ତାକୁ ଆମେରିକାରୁ ଭାରତକୁ ହେପାଜତରେ ଅଣାଯାଉଛି। ୨୦୦୨ର ଏକ ଆମଦାନୀ-ରପ୍ତାନି ଠକେଇ ମାମଲାରେ ମୋନିକା କପୁର ମୁଖ୍ୟ ଅଭିଯୁକ୍ତ ଥିଲେ।
ଓଭରସିଜର ମାଲିକ ମୋନିକା କପୁର, ତାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କ ସହିତ ମିଶି ଜାଲ୍ ରପ୍ତାନି ଡକ୍ୟୁମେଣ୍ଟ ଯେପରିକି ସିପିଂ ବିଲ୍, ଇନଭଏସ୍ ଏବଂ ବ୍ୟାଙ୍କ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲେ। ଏହି ନକଲି ଡକ୍ୟୁମେଣ୍ଟ ଆଧାରରେ ସେମାନେ ୧୯୯୮ ମସିହାରେ ୬ଟି ପୁନଃପୂରଣ ଲାଇସେନ୍ସ ପାଇଥିଲେ, ଯାହା ସାହାଯ୍ୟରେ ୨.୩୬ କୋଟି ଟଙ୍କାର ଡ୍ୟୁଟି-ଫ୍ରି ସୁନା ଆମଦାନି କରାଯାଇଥିଲା। ଏହା ପରେ ଏହି ଲାଇସେନ୍ସଗୁଡ଼ିକୁ ଅହମ୍ମଦାବାଦସ୍ଥିତ କମ୍ପାନୀ ଡିପ୍ ଏକ୍ସପୋର୍ଟସ୍କୁ ପ୍ରିମିୟମ୍ରେ ବିକ୍ରି କରାଯାଇଥିଲା। ଡିପ୍ ଏକ୍ସପୋର୍ଟସ୍ ସେଗୁଡ଼ିକୁ ସୁନା ଆମଦାନି କରିବା ପାଇଁ ବ୍ୟବହାର କରିଥିଲା, ଯାହା ଫଳରେ ସରକାରଙ୍କୁ ୧.୪୪ କୋଟି ଟଙ୍କାର କ୍ଷତି ହୋଇଥିଲା।
ସିବିଆଇ ତଦନ୍ତ ପରେ ୨୦୦୪ ମାର୍ଚ୍ଚ ୩୧ରେ ମୋନିକା କପୁର, ରାଜନ ଖନ୍ନା ଏବଂ ରାଜୀବ ଖନ୍ନାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଦିଲ୍ଲୀର ସାକେତ କୋର୍ଟ ୨୦୧୭ ଡିସେମ୍ବର ୨୦ରେ ରାଜନ ଏବଂ ରାଜୀବ ଖନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ମୋନିକା କପୁର ତଦନ୍ତ ଏବଂ ବିଚାରରୁ ଦୂରେଇ ରହିଥିଲେ। ୨୦୦୬ ଫେବୃଆରୀ ୧୩ରେ କୋର୍ଟ ଦ୍ୱାରା ତାଙ୍କୁ ଜଣେ ଘୋଷିତ ଅପରାଧୀ ଘୋଷଣା କରାଯାଇଥିଲା ଏବଂ ୨୦୧୦ରେ ତାଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା।
୨୦୧୦ରେ ସିବିଆଇ ମୋନିକା କପୁରଙ୍କ ଆମେରିକାରୁ ପ୍ରତ୍ୟର୍ପଣ ପାଇଁ ଅନୁରୋଧ ପଠାଇଥିଲା। ଏକ ଦୀର୍ଘ ଆଇନଗତ ପ୍ରକ୍ରିୟା ଏବଂ ଆମେରିକୀୟ ଏଜେନ୍ସି ସହିତ ନିରନ୍ତର ସମନ୍ୱୟ ପରେ, ଶେଷରେ ତାଙ୍କୁ ଭାରତ ଅଣାଯାଇଥିଲା। ସିବିଆଇ ଦଳ ନିଜେ ଆମେରିକା ଯାଇଥିଲା ଏବଂ ତାଙ୍କୁ ହେପାଜତରେ ରଖି ଭାରତ ଫେରି ଆସିଥିଲା। ବର୍ତ୍ତମାନ ମୋନିକା କପୁରଙ୍କୁ ଏକ ଭାରତୀୟ କୋର୍ଟରେ ହାଜର କରାଯିବ। ଯେଉଁଠାରେ ସେ ତାଙ୍କ ବିରୁଦ୍ଧରେ ଅଭିଯୋଗର ସମ୍ମୁଖୀନ ହେବେ।
ଅଧିକ ପଢ଼ନ୍ତୁ: ଏହି ଦେଶକୁ ପାକିସ୍ତାନ ଭେଟିବା କାହିଁକି ବିପଦପୂର୍ଣ୍ଣ?