ଚୁରୁ: ରାଜସ୍ଥାନର ଚୁରୁ ଜିଲ୍ଲାରେ ରତନଗଡ ନିକଟରେ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ପ୍ରତିରକ୍ଷା ସୂଚନା ମୁତାବକ ବାୟୁସେନାର ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି ।
ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ଣରେ ବଡ ଶବ୍ଦ ସହ ଲଢୁଆ ବିମାନଟି ତଳେ ପଡି ଜଳୁଥିବା ଅବସ୍ଥାରେ ଲୋକେ ଦେଖିବାକୁ ପାଇଛନ୍ତି । ଚାଷ ଜମିରେ ବିମାନର ଖଣ୍ଡ ଖଣ୍ଡ ଅଂଶ ପଡିଥିବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଦୁଇଟି ମୃତଦେହ ଦେଖିବାକୁ ପାଇଛନ୍ତି । ପୋଲିସ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି ।
ସ୍ଥାନୀୟ ପୋଲିସ ଅନୁଯାୟୀ, ଏ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣା ବିଷୟରେ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଘଟଣାସ୍ଥଳରେ ଦଳ ସ୍ଥିତିର ଯାଞ୍ଚ କରୁଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡୁଛି ଯେ, ଏହା କୌଣସି ସୈନ୍ୟ ବିମାନ କିମ୍ବା ପ୍ରଶିକ୍ଷଣପ୍ରାପ୍ତ ଏୟାରକ୍ରାଫ୍ଟ ହୋଇପାରେ ବୋଲି କୁହାଯାଉଛି । ମାତ୍ର ବାୟୁସେନା ସହ ଯୋଗାଯୋଗ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ସ୍ଥାନୀୟ ପ୍ରଶାସନ ବାୟୁସେନାର ଅଧିକାରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି ।