ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳାଇବା ଦାବି ବହୁତ ଦିନରୁ ଉଠି ଆସୁଛି । ଗତ କିଛି ଦିନରେ ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ବେଶ ଉଷ୍ଣ ରହିଥିଲା । ମାମଲା ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା । ଡିକେ ଶିବକୁମାରଙ୍କ ଜଣେ ବିଧାୟକ ଦାବି କରିଥିଲେ ଯେ, ଆମ ସହିତ ୧୦୦ ବିଧାୟକଙ୍କ ସମର୍ଥନ ରହିଛି । ଏହା ପରେ ସିଦ୍ଧରମୈୟା ଦମ୍ଭୋକ୍ତି ପ୍ରକାଶ କରିଥିଲେ ଯେ, ସେ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଏହା ପରେ ବିବାଦ ଥମିଗଲା ପରି ମନେ ହୋଇଥିଲା । ମାତ୍ର ପୁଣି ଥରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଆଜି ରାତିରେ ଦିଲ୍ଲୀରେ ରାହୁଲ ଗାନ୍ଧୀ ବୈଠକ ଡକାଇଛନ୍ତି । ଏଥିରେ ସିଦ୍ଧରମୈୟାଙ୍କ ସହିତ ଡିକେ ଶିବକୁମାର ଉପସ୍ଥିତ ରହିବେ ।
କର୍ଣ୍ଣାଟକ କଂଗ୍ରେସ ମତରେ ବୋଧହୁଏ ମିଟିଂରେ ସିଦ୍ଧରମୈୟାଙ୍କୁ ପଦରୁ ହଟିବାକୁ କୁହାଯାଇପାରେ ଏବଂ ତାଙ୍କୁ କେନ୍ଦ୍ରୀୟ ସଂଗଠନରେ କୌଣସି ବଡ ଦାୟିତ୍ୱ ମିଳିପାରେ । ସବୁଠୁ ଚର୍ଚ୍ଚା ଏହାକୁ ନେଇ ହେଉଛି ଯେ, ସିଦ୍ଧରମୈୟାଙ୍କୁ କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ କରାଯାଇପାରେ । ତେବେ ଏହା ଉପରେ କେହି ଖୋଲାଖୋଲି ବୟାନ ଦେବାକୁ ପ୍ରସ୍ତୁତ ନାହାନ୍ତି ।
୨୦୨୩ ନିର୍ବାଚନ ପରଠୁ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି କର୍ଣ୍ଣାଟକ କଂଗ୍ରେସ ମଧ୍ୟରେ ଦାବି ଅନେକ ଥର ଉଠି ଆସିଛି । ମାତ୍ର କିଛି ସମୀକରଣ ପାଇଁ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଅଦ୍ୟାବଧି ମିଳିପାରିନି । ତେବେଠୁ ତାଙ୍କ ସମର୍ଥକ ଦାବି କରି ଆସିଛନ୍ତି ଯେ, ଦୁଇ ନେତାଙ୍କୁ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରାଯାଉ । ମାତ୍ର ସିଦ୍ଧରମୈୟାଙ୍କ ଗୋଷ୍ଠୀ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ।
ଡିକେ ଶିବକୁମାରଙ୍କ କହିବା କଥା ମୁଖ୍ୟମନ୍ତ୍ରୀ, ସାଧାରଣ ସଂପାଦକ ଓ ମୁଁ ଦିଲ୍ଲୀରେ ଉପସ୍ଥିତି ରହିବି । ପାର୍ଟରେ ଏହି ପ୍ରସଙ୍ଗରେ ଆଲୋଚନା ହେବ । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇ କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ କରାଯିବ ।
ଏହା ଉପରେ ଶିବକୁମାର କହିଛନ୍ତି ଯେ, ସିଦ୍ଧରମୈୟା ଓବିସି ବର୍ଗରେ ସବୁଠୁ ବଡ ନେତା । ବେଙ୍ଗାଲୁରୁରେ ଜୁଲାଇ ୧୫ରେ ଓବିସି କମିଟିର ବୈଠକ ବସୁଛି । ଏହା ସିଦ୍ଧରମୈୟାଙ୍କ ନେତୃତ୍ୱରେ ହେବ । ସୂଚନାଯୋଗ୍ୟ, ଦିଲ୍ଳୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ଡିକେ ଶିବକୁମାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବୈଠକ କରିଥିଲେ ।