ଅହମ୍ମଦାବାଦ: ଗୁଜରାଟ ମହୀସାଗର ନଦୀ ଉପରେ ଥିବା ୪୩ ବର୍ଷର ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ିବା ମାମଲାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏହା ସହିତ ୬ ଜଣ ଗୁରୁତର ଅଛନ୍ତି । ସେପଟେ ବ୍ରିଜ୍ ଭୁଶୁଡ଼ିବା ପରେ ବଡ଼ୋଦରା ଏବଂ ଆଣନ୍ଦ ମଧ୍ୟରେ ଯୋଗଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।
ବୁଧବାର ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ମହୀସାଗର ନଦୀ ଉପରେ ଥିବା ଗମ୍ଭୀରା ବ୍ରିଜ୍ ହଠାତ୍ ମଝିରୁ ଦୁଇ ଫାଳ ହୋଇଯାଇଥିଲା । ଯଦ୍ୱାରା ପୋଲ ଉପରେ ଦେଇ ଯାଉଥିବା ଏକାଧିକ ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ପ୍ରାୟ ୨ଟି ଟ୍ରକ୍, ଗୋଟିଏ ପିକ୍ଅପ୍, ଅଟୋ, ବାଇକ ଭଳି ଗାଡ଼ିଗୁଡ଼ିକ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିକଟସ୍ଥ ଲୋକେ ଏବଂ ଡଙ୍ଗା ସାହାଯ୍ୟରେ ପ୍ରଥମେ ଉଦ୍ଧାର ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ବଡ଼ୋଦରା ଜିଲ୍ଲାପାଳ ଅନୀଲ ଧାମେଲିୟା । ବଡ଼ୋଦରା ମହାନଗର ନିଗମ ଟିମ୍ ଘଟଣା ସ୍ଥଳରେ ତୁରନ୍ତ ପହଁଚିଥିଲା ।
ଏହି ଦୁର୍ଘଟଣାରେ ୯ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ଅଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଂଘବୀ ପୁଷ୍ଟି କରିଛନ୍ତି । ନଦୀ ଗର୍ଭରୁ ୯ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଘଟଣା ସ୍ଥଳକୁ ଏକ ଉଚ୍ଚ ସ୍ତରୀୟ କମିଟି ପଠାଇଛନ୍ତି । ଘଟଣାର ଅନୁଧ୍ୟାନ କରିବାକୁ ସଡ଼କ ଏବଂ ଗୃହ ନିର୍ମାଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ବ୍ରିଜ୍ ୧୯୮୫ ମସିହାରେ ନିର୍ମାଣ ହୋଇଥିଲା । ପର୍ୟ୍ୟାୟକ୍ରମେ ଏହାର ମରାମତି ମଧ୍ୟ କରାଯାଉଥିଲା ବୋଲି କହିଛନ୍ତି ମନ୍ତ୍ରୀ ଋଷିକେଶ ପଟେଲ୍ ।