ବିନିକା: ସର୍ଟସର୍କିଟରୁ ଅଗ୍ନିକାଣ୍ଡ । ଦୋକାନ ସହ ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ବସଷ୍ଟାଣ୍ଡ ନିକଟରେ ଏଭଳି ଏକ ଘଟଣା ଘଟିଯାଇଛି । ସେଠାରେ ଥିବା ମିଲନ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି l ତିନୋଟି ଦମକଳ ବାହିନୀ ଲାଗି ନିଆଁକୁ ଆୟତ୍ତ କରିଥିଲେ ହେଁ ସମସ୍ତ କପଡା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି l
ସୂଚନା ଅନୁସାରେ ଗତକାଲି ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସେ ଦୋକାନର ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ l କିନ୍ତୁ ବିଳମ୍ବିତ ରାତିରେ ହଠାତ୍ ଦୋକାନ ଘରେ ନିଆଁ ଲାଗିଥିବା ଖବର ପାଇଥିଲେ । ଅଗ୍ନିଶମ ବାହିନୀକୁ ଏ ସମ୍ପର୍କରେ ଜଣାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ l ତେବେ ଦୋକାନରେ ଥିବା ଇନଭଟରରେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଆଶଙ୍କା କରାଯାଉଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।