ନୂଆଦିଲ୍ଲୀ: ବୁଧବାର ବଡ ସ୍ତରରେ ଭାରତ ବନ୍ଦର ପ୍ରସ୍ତୁତି ଚାଲିଛି । ଅନୁମାନ କରାଯାଉଛି ଏହି ଧର୍ମଘଟରେ ବ୍ୟାଙ୍କିଙ୍ଗ, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ସାମିଲ ହେବେ । ଏହି ହଡତାଳ ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ତଫରୁ କରାଯାଉଛି । ଏହି ଧର୍ମଘଟର ନାଁ ଭାରତ ବନ୍ଦ ଦିଆଯାଇଛି । ଏହି ବନ୍ଦ ସରକାରୀଙ୍କ ଶ୍ରମିକମାରଣ ନୀତି, କୃଷକ ବିରୋଧୀ ଓ ଦେଶ ବିରୋଧୀ କର୍ପୋରେଟ୍ ସମର୍ଥକ ନୀତି ବିରୋଧରେ କରାଯାଉଛି ।
ଅଲଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସର ଅମରଜିତ କୌର କହିଛନ୍ତି, ହଡତାଳରେ ୨୫ କୋଟିରୁ ଅଧିକ କର୍ମଚାରୀଙ୍କ ସାମିଲ ହେବାର ଆଶା ରହିଛି । କୃଷକ ଓ ଗ୍ରାମାଞ୍ଚଳ କର୍ମଚାରୀ ମଧ୍ୟ ଦେଶବ୍ୟାପୀ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେବେ । ହିନ୍ଦ ମଜଦୁର ସଭାର ହରଭଜନ ସିଂ ସିଦ୍ଧୁ କହିଛନ୍ତି, ହଡତାଳ କାରଣରୁ ବ୍ୟାଙ୍କିଙ୍ଗ, ଡାକ, କୋଇଲା ଖଣି, କାରଖାନା, ରାଜ୍ୟ ପରିବହନ ସେବା ଆଦି ପ୍ରଭାବିତ ହେବ ।
ଭାରତ ବନ୍ଦ କରିବାକୁ ଯାଉଥିବା ସଂଗଠନଗୁଡିକ ଗତ ବର୍ଷ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ୧୭ ଦଫା ଦାବିର ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ସରକାର ଗତ ୧୦ ବର୍ଷରୁ ବାର୍ଷିକ ଶ୍ରମ ସମ୍ମିଳନୀର ଆୟୋଜନ କରି ନାହାନ୍ତି । ଏହି ସରକାର ଶ୍ରମିକ-କର୍ମଚାରୀଙ୍କ ହିତ ବିରୋଧରେ ନିଷ୍ପତ୍ତି ନେଉଛନ୍ତି । ଶ୍ରମିକ ସଂଗଠନର ମଞ୍ଚ ଅଭିଯୋଗ କରିଛନ୍ତି ଯେ, ଆର୍ଥିକ ନୀତି କାରଣରୁ ବେରୋଜଗାର ବଢୁଛି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିବାରେ ଲାଗିଛ ଏବଂ ଶ୍ରମିକଙ୍କ ସଂଖ୍ୟା କମୁଛି, ସ୍ୱାସ୍ଥ୍ୟ ଏବଂ ଆନୁସଙ୍ଗିକ ସୁବିଧା କ୍ଷେତ୍ରରେ ଖର୍ଚ୍ଚକାଟ କରାଯାଉଛି । ଏହା ସବୁ ଗରିବ, ନିମ୍ନ ଆୟ ବର୍ଗର ଲୋକଙ୍କ ସହିତ ମଧ୍ୟବିତ୍ତ ବର୍ଗ ପାଇଁ ଅସମାନତା ସୃଷ୍ଟି କରୁଛି ।
ମଞ୍ଚ ଏହା ମଧ୍ୟ ଅଭିଯୋଗ କରିଛି ଯେ, ସରକାରୀ ବିଭାଗରେ ଯୁବକଙ୍କୁ ନିୟମିତ ନିଯୁକ୍ତି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ ଲୋକଙ୍କୁ କାମରେ ରଖାଯାଉଛି । ଏହି ନୀତି ଦେଶର ଅଗ୍ରଗତିରେ ବଡ ବାଧକ ସାଜିଛି । କାରଣ ୬୫ ପ୍ରତିଶତ ଜନସଂଖ୍ୟା ୩୫ ବର୍ଷରୁ କମ ଆୟୁର । ବେରୋଜଗାର ସଂଖ୍ୟା ୨୦ରୁ ୨୫ ବର୍ଷର ଆୟୁ ବର୍ଗ ଲୋକଙ୍କ ମଧ୍ୟରେ ସବୁଠୂ ଅଧିକ ରହିଛି । ତେଣୁ ସରକାର ବେରୋଜଗାର ଉପରେ ଧ୍ୟାନ ଦେବା, ସ୍ୱୀକୃତି ପଦରେ ନିଯୁକ୍ତି, ଅଧିକ ନିଯୁକ୍ତି ସୃଷ୍ଟି କରିବା, ମନରେଗା ଶ୍ରମିକର କାର୍ଯ୍ୟ ଦିବସ ଅଧିକ ବଢାଇବା ଦାବି କରିଛନ୍ତି ।