ରାଜସ୍ଥାନ: ପରଲୋକରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦୌଲାଲ୍ ବୈଷ୍ଣବ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ଆଜି (ମଙ୍ଗଳବାର) ଦିନ ତାଙ୍କର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଗତ କିଛି ଦିନ ପୂର୍ବରୁ ତାଙ୍କୁ ଯୋଧପୁରର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଆଜି ପୂର୍ବାହ୍ନ ୧୧.୫୨ ସମୟରେ ତାଙ୍କର ବିୟୋଗ ଘଟିଥିଲା । ଚିକିତ୍ସା ଟିମ୍ ଦାଉଲାଲଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ, ମାତ୍ର ବଞ୍ଚାଇ ପାରିନଥିଲେ । ଅନ୍ତିମ ସଂସ୍କାର ନେଇ ପରିବାର ପକ୍ଷରୁ କିଛି କୁହାଯାଇ ନାହିଁ । ପିତାଙ୍କୁ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଯୋଧପୁର ଏମ୍ସ ଯାଇଥିଲେ ।
ସକାଳ ୧୧:୫୨ ରେ ଶେଷ ନିଶ୍ୱାସ ତ୍ୟାଗ
ହସ୍ପିଟାଲ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, "ବହୁତ ଦୁଃଖର ସହିତ ଜଣାଇବାକୁ ଚାହୁଁଛୁ ଯେ ରେଳମନ୍ତ୍ରୀଙ୍କ ପିତା ଦୌଲାଲ୍ ବୈଷ୍ଣବଙ୍କର ଆଜି ୮ ଜୁଲାଇ, ୨୦୨୫ ରେ ପୂର୍ବାହ୍ନ ୧୧:୫୨ ମିନିଟରେ ଯୋଧପୁରର ଏମ୍ସରେ ଦେହାନ୍ତ ହୋଇଛି।" ହସ୍ପିଟାଲ ପ୍ରଶାସନ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛି।
ଏମ୍ସ ଯୋଧପୁର ଆହୁରି କହିଛି, "ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥ ଥିଲେ ଏବଂ ଏମ୍ସ ଯୋଧପୁରରେ ଚିକିତ୍ସାଧୀନ ଥିଲେ। ଡାକ୍ତରୀ ଦଳର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଏମ୍ସ ଯୋଧପୁର ପରିବାର ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି।"
ଦୌଲାଲ ପାଲି ଜିଲ୍ଲାର ବାସିନ୍ଦା
ଦୌଲତଲାଲ ବୈଷ୍ଣବ ରାଜସ୍ଥାନର ପାଲି ଜିଲ୍ଲାର ଜୀବନ୍ଦ କାଲା ଗାଁର ବାସିନ୍ଦା ଥିଲେ। ପରେ ସେ ତାଙ୍କ ପରିବାର ସହିତ ଯୋଧପୁରରେ ଆସି ବସତି ସ୍ଥାପନ କଲେ। ତାଙ୍କ ବାସସ୍ଥାନ ରତନଡାର ମହାବୀର କଲୋନୀରେ ଥିଲା। ସେ ତାଙ୍କ ଜନ୍ମମାଟି ଗାଁରେ ସରପଞ୍ଚ ମଧ୍ୟ ଥିଲେ। ସେ ବହୁ ବର୍ଷ ଧରି ଯୋଧପୁରରେ ଜଣେ ଓକିଲ ଏବଂ ଟିକସ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।