ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ଵିକ ପ୍ରତିଷ୍ଠାରେ ଆଉ ଏକ ସଫଳତା ଯୋଡ଼ି ହୋଇ ଯାଇଛି। ମଙ୍ଗଳବାର ବ୍ରାଜିଲ ପିଏନ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କଲର ଅଫ ଦ ନ୍ୟାସନାଲ ଅର୍ଡର ଅଫ ଦ ସଦର୍ନ କ୍ରସରେ ସମ୍ମାନିତ କରିଛି। ମୋଦୀଙ୍କୁ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦ ସିଲଭାଙ୍କ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯାଇଛି।
ବ୍ରାଜିଲ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ଵିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବା ଓ ପ୍ରମୁଖ ବୈଶ୍ଵିକ ପ୍ଲାଟଫର୍ମରେ ଭାରତ-ବ୍ରାଜିଲ ସହଯୋଗକୁ ପ୍ରୋତ୍ସାହନ ଦେବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ସମ୍ମାନ ଦିଆଯାଉଛି। ଉଲ୍ଲେଖନୀୟ ୨୦୧୪ ମେରେ ପଦଭାର ଗ୍ରହଣ କରିବା ପରଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହା ୨୬ତମ ଅନ୍ତର୍ଜାତୀୟ ସମ୍ମାନ।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ଭବ୍ୟ ସ୍ଵାଗତ ଓ ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ବ୍ରାଜିଲ ସରକାର ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆଜି ରାଷ୍ଟ୍ରପତି ଜୀଙ୍କ ଦ୍ଵାରା ମୋତେ ବ୍ରାଜିଲର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନରେ ବିଭୂଷିତ କରାଯିବା କେବଳ ମୋ ପାଇଁ ନୁହେଁ ୧୪୦ କୋଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଭାବୁକତା ମୁହୂର୍ତ୍ତ। ଏଥିପାଇଁ ବ୍ରାଜିଲ ସରକାର ଓ ଜନତାଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।
ଏହା ପୂର୍ବରୁ ବ୍ରାଜିଲରେ ରାଷ୍ଟ୍ରପତିଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ଵାଗତ ଦିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଵାଗତ କାର୍ଯ୍ୟକ୍ରମରେ ୧୧୪ ଅଶ୍ଵଚାଳକଙ୍କ ଗ୍ରୁପ ଉପସ୍ଥିତ ଥିଲେ। ଏହାର ଦୃଶ୍ୟ ପିଏମ ମୋଦୀଙ୍କ ଏକ୍ସରେ ଏକ ପୋଷ୍ଟ କରାଯାଇଛି।