ବରଗଡ଼ : କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା। ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ବରଗଡ଼ DFO ବିକ୍ରମଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି । ବାହୁଡ଼ା ଦିନ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ। ରିଲ୍ସ ଭାଇରଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଘଟଣାରେ ଅବିନାଶ ବଗର୍ତ୍ତି ଓ ଅଶୋକ ମେହେର ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ବରଗଡ଼ ବନ ବିଭାଗ ।
ସୂଚନା ଥାଉକି ୟୁଟ୍ୟୁବର ଅଶୋକ ମେହେର ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ପିଠିରେ ରଙ୍ଗ ଓ ତୂଳୀରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଏକ ପୋଖରୀରେ ଛାଡୁଥିବାର ଦୃଶ୍ୟ ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ । ଏହାକୁ ଦେଖିବା ପରେ ଭୁବନେଶ୍ୱର ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରି କରିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ ବୋଲି ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି । ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ସେ ଅନୁରୋଧ କରିଥିଲେ । ଅଭିଯୋଗ ପତ୍ରର ଏକ ନକଲ ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଥିଲା ବନ ବିଭାଗ । ବିଜେପୁର ଗ୍ରାମର ୨ଜଣ ଯୁବକ ଅବିନାଶ ବଗର୍ତ୍ତି ଓ ଅଶୋକ ମେହେରଙ୍କୁ ବରଗଡ଼ ବନ ବିଭାଗ ଗିରଫ କରିଥିଲା l
ଆଜିକାଲି ଭିୟୁଜ ନିଶାରେ ଯୁବପିଢି। ସାମାନ୍ୟ ଭିୟୁଜ ପାଇଁ ଚରମରୁ ଚରମ ସୀମା ଏମିତି ପଶୁ ପକ୍ଷୀ କି ମାନବିକତା ବି ହରେଇ ସାରିଲେଣି। ଭିୟୁଜ ପାଇଁ ଜଗନ୍ନାଥଙ୍କୁ ବି ଛାଡିଲେନି । କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି କରିବା ଶେଷରେ ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି।
ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ବନ୍ୟପ୍ରାଣୀ ଆଇନରେ ସିଡ୍ୟୁଲ ୧ ତାଲିକାରେ ସଂରକ୍ଷିତ ଅଟେ । ଏହି ତାଲିକାରେ ସଂରକ୍ଷିତ ଜୀବ ଜନ୍ତୁଙ୍କୁ ଧରିବା ଓ ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରିବା ଏକ ଅପରାଧ ଅଟେ ଏବଂ ଏପରି ଅପରାଧ ପାଇଁ ୭ ବର୍ଷ ଯାଏଁ ଜେଲ ଦଣ୍ଡ , ଏକ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ନିୟମ ରହିଛି ।