ଭୁବନେଶ୍ୱର: ବିଜେପିର ନବ ନିର୍ବାଚିତ ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅପାର ସମର୍ପଣ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି । ଆଗାମୀ ସମୟରେ ତାଙ୍କ ନେତୃତ୍ୱରେ ବିଜେପିର ସଙ୍ଗଠନ ଆହୁରି ଶକ୍ତିଶାଳୀ ହେବା ସହ ଓଡ଼ିଶାର ମଙ୍ଗଳମୟ ଭବିଷ୍ୟତ ପାଇଁ ପ୍ରେରଣାଦାୟୀ ହେବ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମନମୋହନ ସାମଲ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାପତି ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ସଭାପତି ପଦ ପାଇଁ ମନମୋହନଙ୍କ ନାମକୁ ଆନୁଷ୍ଠାନିକଭାବେ ବିଜୟୀ ଘୋଷଣା କରିଛନ୍ତି । ସର୍ବାଧିକ ଚତୁର୍ଥ ଥର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ମନମୋହନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ ।
ମନମୋହନଙ୍କ ରାଜନୈତିକ ଜୀବନ
୧୯୫୯ ମସିହା ଏପ୍ରିଲ ୧୫ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ ସାମଲ । ତାଙ୍କ ରାଜନୈତିକ ଜୀବନ ବହୁତ ଲମ୍ବା ଅଟେ । ୪ ଥର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ସହ ରାଜ୍ୟସଭା ସାଂସଦ ଏବଂ ମନ୍ତ୍ରୀ ରହିସାରିଛନ୍ତି । ଆରମ୍ଭରୁ ହିଁ ସେ ବିଜେପି ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି । ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଥାପିଥିଲେ । ତୃଣମୂଳ ସ୍ତରରୁ ହିଁ ସେ ଦଳର ବିଭିନ୍ନ ପଦପଦବୀରେ ରହିଆସିଛନ୍ତି । ୧୯୭୮-୭୯ ମସିହାରେ ଭଦ୍ରକ କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ହୋଇ ସଭାପତି ହୋଇଥିଲେ । ୧୯୭୯-୮୧ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ରାଜ୍ୟ ସମ୍ପାଦକ, ୧୯୮୨-୮୨ରେ ଏବିଭିପି ରାଜ୍ୟ ଉପସଭାପତି, ୧୯୮୩ରେ ଧାମନଗର ନିର୍ବାଚନ ମଣ୍ଡଳୀର ସଭାପତି ଏବଂ ୧୯୮୪ରେ ବାଲେଶ୍ୱର ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ତାଙ୍କର କାର୍ଯ୍ୟ ଏବଂ ନେତୃତ୍ୱ ନେବାର ଦକ୍ଷତାକୁ ଦେଖି ଦଳ ରାଜ୍ୟ ସ୍ତରରେ ବିଭିନ୍ନ ଦାୟିତ୍ୱ ହସ୍ତାନ୍ତର କରିଛି । ୧୯୯୦ ରୁ ୯୨ ଯାଏଁ ସେ ରାଜ୍ୟ ସମ୍ପାଦକ ଏବଂ ୧୯୯୨ରୁ ୯୯ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ସେ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ୧୯୯୯-୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ସଭାପତି ଆସନରେ ବସିଥିଲେ । ଏହାପରେ ରୁ -୨୦୦୪ ଯାଏଁ ସେ ପ୍ରଥମଥର ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହି ସମୟରେ ବିଜେଡ଼ି-ବିଜେପି ମେଣ୍ଟ ହୋଇଥିଲା । ସେତେବେଳେ ଓଡ଼ିଶାରେ ମେଣ୍ଟ ସରକାର ଶାସନ କରିଥିଲା । ୨୦୦୦ ମସିହାରେ ମନମୋହନ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଭଦ୍ରକ ଧାମନଗର ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । ସେ ରାଜସ୍ୱ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ୨୪ରେ ସମୀର ମହାନ୍ତିଙ୍କ ପରେ ମନମୋହନ ତୃତୀୟ ଥର ପାଇଁ ସଭାପତି ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମନମୋହନଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡ଼ି ସରକାରକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା । ଯାହାକି ଦଳ ପାଇଁ ଏକ ବଡ଼ ସଫଳତା ଥିଲା ।