ଜଟଣୀ: ରାଜ୍ୟରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଗପହଣ୍ଡିରେ ଝାଡ଼ାବାନ୍ତି ବ୍ୟାପୁଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁରରେ ଝାଡ଼ାବାନ୍ତି ଆତଙ୍କ ଖେଳିଯାଇଛି । ରାଣୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତ ୧୬ ରୁ ୧୭ ଜଣ ହୋଇଥିବା ସୂଚନା ମିଳିଛି । ମୃତକ ରାଣୀପୁର ବିଚିତ୍ରା ନନ୍ଦ ମହାନା ।
ଝାଡ଼ାବାନ୍ତିରେ ବିଚିତ୍ରା ନନ୍ଦ ମହାନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏନେଇ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାର ତଦନ୍ତ ପାଇଁ ଗାଁରେ ମଧ୍ୟ ସ୍ୱାସ୍ଥ୍ୟ ଟିମ ଓ ଆରଡବ୍ଲୁଏସଏସ ଟିମ୍ ପହଞ୍ଚି ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଗାଁରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି କେଉଁ କାରଣରୁ ବ୍ୟାପୁଛି ତାହା ଜଣାପଡ଼ିନାହିଁ । ତଦନ୍ତ ପରେ ଜଣାପଡିବ ।