ଅହମ୍ମଦାବାଦ: ଗୁଜରାଟ ବଡ଼ୋଦରାରେ ମହିସାଗର ନଦୀ ଉପରେ ଥିବା ୪୩ ବର୍ଷର ପୁରୁଣା ବ୍ରିଜ୍ ବୁଧବାର ସକାଳେ ଭୁଶୁଡ଼ି ପଡ଼ିଛି । ପୋଲ ଉପର ଦେଇ ସେହି ସମୟରେ ଯାଉଥିବା କିଛି ଗାଡ଼ି ନଦୀ ଭିତରକୁ ଖସି ପଡ଼ିଛି । ଫଳରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଛି । ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।
ଦୀର୍ଘ ୪୩ ବର୍ଷ ହେବ ମହୀସାଗର ନଦୀ ଉପରେ ଛିଡ଼ା ହୋଇଥିବା ପୋଲ ହଠାତ୍ ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଭାଙ୍ଗି ଯାଇଥିଲା । ଏହି ସମୟରେ ପୋଲ ଉପରେ ଯାନବାହାନ ମଧ୍ୟ ଯାତାୟାତ କରୁଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ୨ଟି ଟ୍ରକ୍ ଏବଂ ଗୋଟିଏ ପିକ୍ଅପ୍ ଭ୍ୟାନ ସହିତ ୪ଟି ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ପୋଲ ଭାଙ୍ଗିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଆଉ ଏକ ଟ୍ୟାଙ୍କର ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଲଟକି ରହିଥିବା ଦେଖିବାକୁ ମିଳିଛି । ଏହା ଆଣନ୍ଦ ଏବଂ ବଡ଼ୋଦରା ସହରକୁ ସଂଯୋଗ କରୁଥିଲା । ତେଣୁ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଛି । ଏହି ବ୍ରିଜ୍ ସୁଇସାଇଡ୍ ପଏଣ୍ଟ ନାମରେ ମଧ୍ୟ ଜଣାଶୁଣା ଅଟେ ।