ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ମୋଷ୍ଟ ଏନସିଏଣ୍ଟ ୱେଲୱିତ୍ସିଆ ମିରାବିଲିସ’ରେ ସମ୍ମାନିତ ହୋଇଛନ୍ତି । ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟା ସଂସଦକୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ ୨୦୧୪ ମେରେ ପଦଭାର ଗ୍ରହଣ କରିବା ପରଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହା ୨୭ତମ ଅନ୍ତର୍ଜାତୀୟ ସମ୍ମାନ। ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ଭବ୍ୟ ସ୍ଵାଗତ ଓ ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ନାମିବ୍ୟା ସରକାର ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆଜି ନାମିବ୍ୟାର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନରେ ବିଭୂଷିତ କରାଯିବା କେବଳ ମୋ ପାଇଁ ନୁହେଁ ୧୪୦ କୋଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଭାବୁକତା ମୁହୂର୍ତ୍ତ। ଏଥିପାଇଁ ନାମିବ୍ୟା ସରକାର ଓ ଜନତାଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।
ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନାମିବ୍ୟା ବିଶ୍ୱର ସବୁଠାରୁ ବଡ଼ ହୀରା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହା ସହିତ ଭାରତରେ ସବୁଠାରୁ ବଡ଼ ହୀରା ପଲିସିଂ ଶିଳ୍ପ ଅଛି। ତାହା ମଧ୍ୟ ମୋ ନିଜ ରାଜ୍ୟ ଗୁଜରାଟରେ। ମୁଁ ନିଶ୍ଚିତ ଯେ ଆଗାମୀ ସମୟରେ, ଭାରତ-ନାମିବ୍ୟା ସହଭାଗୀତା ମଧ୍ୟ ଏହି ହୀରା ପରି ଚମକିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଏବଂ ନାମିବ୍ୟା ନିଜର ସ୍ୱାଧୀନତା ସଂଗ୍ରାମ ପରଠାରୁ ପରସ୍ପର ସହିତ ଠିଆ ହୋଇଛନ୍ତି। ଦୁଇ ଦେଶର ବନ୍ଧୁତା ରାଜନୀତିରୁ ଜନ୍ମ ନେଇନାହିଁ ବରଂ ସଂଘର୍ଷ, ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସରୁ ଜନ୍ମ ନେଇଛି। ଏହା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସମାନ ସ୍ୱପ୍ନ ଦ୍ୱାରା ପରିପୂର୍ଣ୍ଣ। ଉଭୟ ଦେଶ ବିକାଶ ପଥରେ ଏକାଠି ଆଗକୁ ବଢ଼ିବେ।