ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନିକୁ ହଟାଇ ଦିଆଯାଇଛି । ସାଇନିଙ୍କ ସ୍ଥାନରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ କରିବେ । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଆଇଜି ଏସ୍. ସାଇନି ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ଯାଉଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ କରିବେ । ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶରେ ଡିଏସପି ଇମାନ କଲ୍ୟାଣ ନାୟକ ଓ ଇନ୍ସପେକ୍ଟର ପାଞ୍ଚାଳୀ ରାଉତ ତଦନ୍ତ କରିବେ । ଏହା ପରେ ରିପୋର୍ଟ ପ୍ରସ୍ତୁତ କରି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଦେବେ ।
ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନି, ଡିଏସପି ଇମାନ କଲ୍ୟାଣ ନାୟକ ଓ ଇନ୍ସପେକ୍ଟର ପାଞ୍ଚାଳୀ ରାଉତ ତଦନ୍ତ କରୁଥିଲେ । ପ୍ରଥମେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଏଚ୍ଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ସହପାଠୀ ଜ୍ୟୋତି ପ୍ରକାଶ ବିଶ୍ୱାଳ ଏବଂ ଏବିଭିପି କାର୍ଯ୍ୟକର୍ତ୍ତା ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଥିଲେ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି ଉଭୟଙ୍କୁ ଗିରଫ କରାଯାଇଥିବା ଏବିଭିପି ଏକ ପ୍ରେସ ବିବୃତ୍ତି ଜରିଆରେ ଅଭିଯୋଗ କରିଥିଲା ।