ଭୁବନେଶ୍ୱର: ଅନ୍ୟ ଯେଉଁ ସ୍ଥାନର ଇଂରାଜୀ ନାମ ତ୍ରୁଟି ବିଚ୍ୟୁତି ରହିଛି ଆବେଦନ କଲେ ବିଚାରକୁ ନିଆଯିବ । ଭୁଲ ଉଚ୍ଚାରଣ କଲେ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥାଏ । ତେଣୁ ଯେଉଁମାନେ ସଂଶୋଧନ ପାଇଁ ପ୍ରସ୍ତାବ ଦେବେ ତାହାକୁ ଗ୍ରହଣ କରାଯିବ । ଇଂରାଜୀ ନାମ ପରିବର୍ତ୍ତନ ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କର ସ୍ଥାନର ଇଂରାଜୀ ନାମ ଭୁଲ ଅଛି ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ । ଓଡ଼ିଆ ଓ ଇଂରାଜୀ ଉଚ୍ଚାରଣ ସମାନ ନୁହେଁ । ଉଚ୍ଚାରଣ ଆଧାରରେ ଯେଉଁ ସ୍ଥାନର ନାମ ହୋଇଛି ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ବାହାରିବ । ପ୍ରଥମ ପର୍ଯ୍ୟାୟ ଅନୁସାରେ ଯେତିକି ଆବେଦନ ଆସିଥିଲା ତାହା ଅନୁସାରେ ବିଜ୍ଞାପନ ଜରିଆରେ ସେ ଅଞ୍ଚଳର ଲୋକମାନଙ୍କର ମତାମତ ମଗାଯାଇଛି । ଅନ୍ୟ ଯେଉଁ ଯେଉଁ ସ୍ଥାନର ନାମ ଭୁଲ ଅଛି ଆବେଦନ କଲେ ତାହା ମଧ୍ୟ ବିଚାରକୁ ନିଆଯିବ । ଓଡ଼ିଆର ନାମ ଏପଟ ସେପଟ ହେବନି ବରଂ ତାର ଇଂରାଜୀ ନାମର ସଂଶୋଧନ କରାଯିବ । ଅନେକ ସ୍ଥାନର ନାମ ବିଭିନ୍ନ ଆଧାରରେ କରାଯାଇଥାଏ । ଭୁଲ ଉଚ୍ଚାରଣ କଲେ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥାଏ । ତେଣୁ ଯେଉଁମାନେ ସଂଶୋଧନ ପାଇଁ ପ୍ରସ୍ତାବ ଦେବେ ତାହାକୁ ଗ୍ରହଣ କରାଯିବ ।
ସେହିପରି ଥରେ ରାଜସ୍ୱ ବିଭାଗକୁ ଦସ୍ତାବିଜ ପ୍ରସ୍ତୁତ ହୋଇଗଲା ପରେ ସେହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସାଇଟ ଯାଇଥାଏ । ସେହିପରି ବିଭିନ୍ନ ରେଳ ଷ୍ଟେସନର ଇଂରାଜୀ ନାମ ଭୁଲ ରହିଛି । ତାହାକୁ ସବୁ ପରିବର୍ତ୍ତନ କରିବାକୁ ଆବଶ୍ୟକ ପଡ଼ିବ ତାହାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ଲେଖାଯିବ । ରାଜ୍ୟ ୭ ଜିଲ୍ଲାର ଇଂରାଜୀ ନାମ ଏବଂ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମକୁ ସଂଶୋଧନ କରିବାକୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ଦିନ ଭିତରେ ଅଭିଯୋଗ କିମ୍ବା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ କୁହାଯାଇଛି ।