ଭୁବନେଶ୍ୱର, ରାଜ୍ୟରେ ସକାଳୁ ସକାଳୁ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଅଜଣା ଗାଡ଼ି ଧକ୍କାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ଚାଉଳିଆଗଞ୍ଜରେ ଏକ କ୍ଷୀର ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।
କଟକ ଚାଉଳିଆଗଞ୍ଜ କଟକ-ପାରଦ୍ୱୀପ ରାସ୍ତାରେ ଏକ ବାଇକକୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଛି କ୍ଷୀର ଗାଡ଼ି । ଫଳର ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଜଣକ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିଚୟ ଜଣାପଡ଼ିନଥିବାବେଳେ କ୍ଷୀର ଗାଡ଼ି ମଧ୍ୟ ଫେରାର ହୋଇଯାଇଛି । ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିଛି । ତତସହିତ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଆରମ୍ଭ କରିଛି ।
ଗତ ୨୯ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସ ପଦର୍ ଛକ ନିକଟରେ ଏକ ଅଜଣା ଗାଡ଼ି ଜଣେ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଯୁବକଙ୍କୁ ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର କିଛି ଦିନ ଚିକିତ୍ସା ପରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ସମ୍ପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗୁଡ଼ିଆମ୍ବ ଗ୍ରାମର ଅଚ୍ୟୁତାନନ୍ଦ ସାହୁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଲୋକେ ବ୍ରହ୍ମପୁର-ଭଞ୍ଜନଗର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତା ଜାମ ହେବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଛି ।