କିଛି ଦିନର ଅନ୍ତରାଳ ପରେ ପୁଣି ରାଜ୍ୟର ଏକାଧିକ ଅଦଲତ ଧମକ ମିଳିଛି । ଶୁକ୍ରିବାର ରାଜ୍ୟର ତିନୋଟି ଜିଲ୍ଲା ଅଦାଲତକୁ ବୋମାରେ ଉଡ଼ାଇ ଦେବାକୁ ଧମପପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରକୁ ଖାଲି କରାଯାଇ ଯାଞ୍ଚ କରାଯାଉଛି ।
କଟକ ଜିଲ୍ଲା ଓ ଦୌର ଜର୍ଜ କୋର୍ଟ, ପୁରୀ ଜିଲ୍ଲା କୋର୍ଟ ଏବଂ ଫୁଲବାଣୀ ଜିଲ୍ଲା ଅଦାଲତକୁ ବୋମା ଧମକ ମିଳିଛି । ଇମେଲରେ ବୋମା ଧମକ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ସମସ୍ତ କୋର୍ଟକୁ ଖାଲି କରାଯାଇ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଁଚି ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । କଟକ ଜିଲ୍ଲା ଅଦାଲତ ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଯେଉଁମାନେ କୋର୍ଟକୁ ଆସୁଛନ୍ତି ତନ୍ନ ତନ୍ନ ଯାଞ୍ଚ କରି ପ୍ରବେଶ କରିବାକୁ ଅନୁମତି ମିଳୁଛି । ସେହିପରି ଫୁଲବାଣୀ କୋର୍ଟକୁ ବୋମା ଧମକ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିତରକୁ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ।
ସେପଟେ ପୂର୍ବରୁ ଥରେ ଧମକ ପାଇଥିବା ସମ୍ବଲପୁର ଜିଲ୍ଲା ଓ ଦୌରା ଜର୍ଜ କୋର୍ଟକୁ ଆଜି ଇମେଲ୍ ଆସି ନ ଥିଲେ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । କୋର୍ଟ ପରିସରକୁ ଖାଲି କରାଯାଇ ଯାଞ୍ଚ କରାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସହିତ ତିନୋଟି କୋର୍ଟକୁ ବୋମା ଧମକ ମିଳିଥିଲା । ହାଇକୋର୍ଟ, କଟକ ଜିଲ୍ଲା ଜଜ୍ କୋର୍ଟ, ସମ୍ବଲପୁର ଜିଲ୍ଲା କୋର୍ଟ, ଦେବଗଡ଼ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲା । କିନ୍ତୁ ତଦନ୍ତ ପରେ ଏହା ଏକ ମିଥ୍ୟା ଧମକ ମିଳିଥିବା ପୋଲିସ ସୂଚନା ଦେଇଥିଲା ।