ଭୁବନେଶ୍ୱର: ଏଣିକି ସହରରେ ରହୁଥିବା ଗରୀବ ଲୋକଙ୍କୁ ଆଉ ବାସଗୃହ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ଗରୀବ, କର୍ମଜୀବୀ ମହିଳା ଏବଂ ଶ୍ରମିକଙ୍କୁ ସୁଲଭ ମୂଲ୍ୟରେ ସରକାରୀ ଘରଗୁଡ଼ିକୁ ଭଡ଼ା ସୂତ୍ରରେ ବାସଗୃହ ଯୋଗାଇ ଦେବେ । ତେଣୁ ଖାଲିଥିବା ଘର ଗୁଡ଼ିକୁ ଚିହ୍ନଟ କରିବାକୁ ଓଡ଼ିଶା ସହରାଞ୍ଚଳ ଗୃହ ମିଶନ, ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ଗୃହ ବିଭାଗ, କୃଷି ବିଭାଗ, ଶକ୍ତି ବିଭାଗ, ଅର୍ଥ ବିଭାଗ, ଯୋଗାଣ ବିଭାଗ, ମହିଳା ଓ ଶିଶୁ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ବିଭିନ୍ନ ବିଭାଗକୁ ଚିଠି ଲେଖିଛନ୍ତି ।
ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନ- ସହରାଞ୍ଚଳ ୨.୦ର କାର୍ଯ୍ୟକ୍ଷମ ମାର୍ଗଦର୍ଶିକା ଅନୁଯାୟୀ ସହରାଞ୍ଚଳରେ ବିଭିନ୍ନ ଶିଳ୍ପରେ କାମ କରୁଥିବା ଶ୍ରମିକ, କର୍ମଜୀବି ମହିଳା ଏବଂ ପ୍ରବାସୀ ଶ୍ରମିକଙ୍କୁ ଭଡ଼ା ଘର ଯୋଗାଇ ଦେବେ । ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ସୁଯୋଗ ଇତ୍ୟାଦିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ଯେଉଁ ସବୁ ସରକାରୀ କ୍ୱାର୍ଟର୍ ଖାଲି ପଡ଼ିଛି ସେଗୁଡ଼ିକୁ ଭଡ଼ା ସୂତ୍ରରେ ଲୋକଙ୍କୁ ଦିଆଯିବ । ଫଳରେ ଗରୀବ ଲୋକଙ୍କୁ ସହରରେ ଆଉ ଘର ଖୋଜିବାକୁ ପଡ଼ିବ ନାହିଁ ।
କାର୍ଯ୍ୟକ୍ଷମ ମାର୍ଗଦର୍ଶିକା ଅନୁଯାୟୀ ଦୁଇଟି ମଡେଲରେ ବାସ ଗୃହ ମିଳିବ । ମଡେଲ୍-୧ ରେ ସରକାରୀ କ୍ୱାଟର୍ସକୁ ପବ୍ଲିକ୍ ଏଜେନ୍ସି ଦ୍ୱାରା ସରକାରୀ ଘରୋଇ ସହଭାଗୀତା (ପିପିପି) ମୋଡ଼ରେ ରୂପାନ୍ତରିତ କରାଯାଇ ଭଡ଼ା ଦିଆଯିବ । ସେହିପରି ମଡେଲ୍-୨ରେ ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା ଘରକୁ ଭଡ଼ା ଆକାରରେ ଦିଆଯିବ । ଘରୋଇ କିମ୍ବା ସାର୍ବଜନୀନ ସଂସ୍ଥାଗୁଡ଼ିକ ଭଡା ଘର ୟୁନିଟ୍ ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବେ ଏବଂ ଦୀର୍ଘ ସମୟ ଧରି ଭଡା ଆୟ ମାଧ୍ୟମରେ ନିବେଶ ପୁନରୁଦ୍ଧାର କରିବେ। ନିର୍ଦ୍ଦେଶାବଳୀ ଅନୁଯାୟୀ, ନିବେଶ ପିପିପି ମୋଡ୍ ମାଧ୍ୟମରେ କିମ୍ବା ସାର୍ବଜନୀନ ଏଜେନ୍ସିଗୁଡ଼ିକ ଦ୍ୱାରା କରାଯାଇପାରିବ । ସେହିମାନେ ଭଡା ଆୟ ମାଧ୍ୟମରେ ପ୍ରାରମ୍ଭିକ ନିବେଶ ପୁନରୁଦ୍ଧାର କରିବାକୁ ଅନୁମତି ପାଇବେ। ସ୍ଥାନୀୟ ସର୍ବେକ୍ଷଣ ଆଧାରରେ ପ୍ରାରମ୍ଭିକ ସୁଲଭ ଭଡା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିର କରାଯିବ । ଦୁଇ ବର୍ଷରେ ଥରେ ୮ ପ୍ରତିଶତ ଭଡ଼ା ବୃଦ୍ଧି କରାଯିବ, ଯାହା ୫ ବର୍ଷ ମଧ୍ୟରେ ସାମଗ୍ରିକ ଭାବରେ ସର୍ବାଧିକ ୨୦ ପ୍ରତିଶତ ବୃଦ୍ଧି ସହିତ ସମାନ ହେବ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ନିର୍ମିତ ଏବଂ ଖାଲି ପଡ଼ିଥିବା ଏବଂ ବ୍ୟବହାର ହୋଇନଥିବା ଘରଗୁଡ଼ିକୁ ଏଆରଏଚ୍ ପ୍ରକଳ୍ପ ଭାବରେ ଗ୍ରହଣ କରାଯାଇ ଏହାକୁ ରହିବାଯୋଗ୍ୟ କରାଯାଇପାରିବ । ଏହି ଅବ୍ୟବହୃତ ସମ୍ପତ୍ତିଗୁଡ଼ିକୁ ଆବଶ୍ୟକୀୟ ମରାମତି ଏବଂ ପୁନଃନିର୍ମାଣ ଦ୍ୱାରା ଦୀର୍ଘକାଳୀନ ଭଡା ଆୟ ସୃଷ୍ଟିକାରୀ ସମ୍ପତ୍ତିରେ ରୂପାନ୍ତରିତ କରାଯାଇପାରିବ । ପିଏମଏ-ୟୁ ଯୋଜନା ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବ। ବିଭିନ୍ନ ବିଭାଗରେ ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ କୋଠା ବା ଘରଚିହ୍ନଟ କରିବାକୁ ଉଷା ପାଢ଼ୀ ଚିଠି ଜରିଆରେ ଅନୁରୋଧ କରିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ପାଇଁ ନୋଡାଲ ଅଧିକାରୀ ମାନଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି ।