ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପରୀକ୍ଷାକୁ ନେଇ ଚର୍ଚ୍ଚା ସମୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସହ ବାର୍ତ୍ତାଳପ ସମୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, କାହାରିକୁ ବି ବିଗତ ସମୟର ହିସାବ ଦେବା ବଦଳରେ ଭବିଷ୍ୟତ ବିଷୟରେ ବିଚାର କରିବା ଉଚିତ୍ । ପିଏମ ମୋଦୀ ନିଜ ଜନ୍ମଦିନର ଏକ ଘଟଣାକୁ ନେଇ କହିଛନ୍ତି, ଜଣେ ନେତା ମୋର ଜନ୍ମଦିନରେ ଫୋନ କରିଥିଲେ । ସେପ୍ଟେମ୍ବର ୧୭ରେ କଲ୍ କରି କହିଲେ ଆପଣଙ୍କୁ ତ ୭୫ ବର୍ଷ ହୋଇଗଲା । ଏହାର ଉତ୍ତରରେ ମୁଁ କହିଲି ଏବେ ତ ଆହୁରି ୨୫ ବର୍ଷ ବାକି ଅଛି ।
ପିଏମ ମୋଦୀ କହିଛନ୍ତି, ମୁଁ ବିତି ଯାଇଥିବା ସମୟକୁ ଗଣେ ନାହିଁ, ଯାହା ବାକି ଅଛି ତାକୁ ଗଣିଥାଏ । ଏହାକୁ ନେଇ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରି କହିଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ, ଅତୀତରେ କଣ କରିଥିଲେ ନ କରିଥିଲେ, ତାହାର ଗଣତି କରି ସମୟ ବର୍ବାଦ କରନ୍ତୁ ନାହିଁ । ଆଗାମୀ ଦିନରେ କେମିତି ଆଗକୁ ବଢିବେ ସେ ବିଷୟରେ ଚିନ୍ତା କରନ୍ତୁ ।
ଏହି କଥା ପିଏମ ମୋଦୀ ସେହି ସମୟରେ କହିଲେ, ଯେତେବେଳେ ପୂର୍ବୋତରର ଜଣେ ଛାତ୍ର କହିଲେ ଯେ, ମୋର ଜନ୍ମ ମଧ୍ୟ ସେପ୍ଟେମ୍ବର ୧୭ରେ । ପିଏମ ମୋଦୀ ଏହି ସମୟରେ ପରୀକ୍ଷାକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଅନେକ ଥର ଖବର କାଗଜରେ ଛପିଥାଏ ଯେ, ଏଥର ପରୀକ୍ଷା ବହୁତ କଠିନ ରହିଛି । ଏହାର କାରଣ କଣ ? ପ୍ରଶ୍ନପତ୍ର ତ ସିଲାବସ ବାହାରୁ ନ ଥାଏ । ତଥାପି ଏମିତି କାହିଁକି କୁହାଯାଏ ଯେ ପରୀକ୍ଷା କଠିନ ଥିଲା । ଏମିତି ଏଥିପାଇଁ କୁହାଯାଏ କାରଣ ଲୋକଙ୍କୁ ସର୍ଟକଟରେ ପଢିବାର ଅଭ୍ୟାସ ହୋଇ ଗଲାଣି । ତେଣୁ ଆପଣମାନେ ସଟକର୍ଟ ଛାଡି ଦୀର୍ଘକାଳୀନ ପ୍ରସ୍ତୁତି ଉପରେ ଧ୍ୟାନ ଦିଅନ୍ତୁ ।
Also read: ଭାରତ ଉପରେ କମ ଶୁଳ୍କ ନେଇ ବାଂଲାଦେଶ ଚିନ୍ତିତ, ଟ୍ରମ୍ପଙ୍କ ସହ ଏକ 'ଗୁପ୍ତ' ଚୁକ୍ତି କରିବେ ୟୁନୁସ୍!