ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଗୁଣ୍ଡାରାଜ । ଗଣ୍ଡମୁଣ୍ଡାରେ ଥିବା ଏକ ଗେଷ୍ଟ ହାଉସରେ କିଛି ଯୁବକ ପଶି ଭଙ୍ଗାରୁଜା କରିଛନ୍ତି । ଏହା ସହିତ ଗେଷ୍ଟ ହାଉସରେ ରହୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଏକ ଗେଷ୍ଟ ହାଉସରେ କିଛି ଦୁର୍ବୃତ୍ତ ପଶିଥିଲେ । କ୍ୟାସ୍ କାଉଣ୍ଟରୁ ଟଙ୍କା ଲୁଟିଥିଲେ । ସେଠାରେ ଉପସ୍ଥିତ କର୍ମଚାରୀ ବାରଣ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ସହିତ ଗେଷ୍ଟହାଉସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେହିପରି ଗେଷ୍ଟ ହାଉସରେ ଥିବା ଜଣେ ଯୁବତୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଗେଷ୍ଟ ହାଉସରେ ପହଁଚି ୩ ଜଣ ଯୁବକଙ୍କୁ କାବୁ କରିଛି । ସେମାନଙ୍କୁ ଥାନାକୁ ନେଇ ଅଧିକ ପଚରା ଉଚରା କରୁଛି । ସେମାନେ ଲୁଟ୍ ପାଇଁ ଆସିଥିଲେ ନା କିଛି ପୂର୍ବ ଶତ୍ରୁତା ଥିଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।