ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଗୁରୁବାର ୨୧ ଜଣ ଆଇଏଏସ ଅଧିକାରୀଙ୍କର ବଦଳି ହୋଇଛି । ଏ ନେଇ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯୋଜନା ଓ ସଂଯୋଜନା ବିଭାଗ ସଚିବ ଦେଓ ରଞ୍ଜନ ମଲ୍ଲିକଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ବର୍ତ୍ତମାନ ଉନ୍ନୟନ କମିଶନର ଅଛନ୍ତି । ଆଇଏଏସ୍ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗର ଅତିରିକ୍ତ ସଚିବ ହୋଇଛନ୍ତି । ତତସହିତ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି । ସେ କେବିକେର ମଧ୍ୟ ମୁଖ୍ୟ ପ୍ରଶାସକ ରହିବେ । ଆଇଏଏସ୍ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ୱ ସହିତ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ୱରେ ରହିବେ ।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀ କୃଷି ବିଭାଗ ଦାୟିତ୍ୱରୁ ମୁକ୍ତ କରାଯାଇଛି । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନୂତନ ନିଯୁକ୍ତି ମିଳିଛି । ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବା ଇଡକୋର ଅଧ୍ୟକ୍ଷ ଥିବା ଆଇଏଏସ୍ ସଞ୍ଜୀବ କୁମାରଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ଆଇଏଏସ୍ ଉଷା ପାଢ଼ୀ ଇଡକୋର ଅଧ୍ୟକ୍ଷଭାବେ ଅତିରିକ୍ତ ନିଯୁକ୍ତି ମିଳିଛି ।
ସେହିପରି ଆଇଏଏସ୍ ସୁରେଶ କୁମାର ବଶିଷ୍ଠ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ଆର୍ ସନ୍ଥଗୋପାଳନଙ୍କୁ ଅପସାରଣ କରାଯାଇଛି । ଆଇଏଏସ୍ ଶୁଭ ଶର୍ମା ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ହୋଇଛନ୍ତି । ସେହିପରି ଏନବିଏସ୍ ରାଜପୁତ ଓଏସ୍ଆରସିଟିର ଅତିରିକ୍ତ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକଭାବେ ନିଯୁକ୍ତି ପାଇଛନ୍ତି । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ଉଷା ପାଢ଼ୀଙ୍କୁ ଅପସାରଣ କରାଯାଇଛି ।
ଓଡ଼ିଶା ମାଇନିଂ କର୍ପୋରେସନର ଅଧ୍ୟକ୍ଷ ହୋଇଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରିଶ ଏସ୍.ଏନ୍ । ଆଇଏଏଏସ୍ ସୁରେନ୍ଦ୍ର କୁମାରଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଆୟୁକ୍ତ ଏବଂ ସଚିବ ହୋଇଛନ୍ତି ଆଇଏଏସ୍ ଡାକ୍ତର ମୃଣାଳିନୀ ଦରସ୍ୱାଲ । ଗୃହ ଓ ନଗର ବିକାଶ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ରାଜେଶ ପ୍ରଭାକର ପାଟିଲ । ଏହା ସହିତ ସେ ଓସଡମାର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ ।
କୃଷି ବିଭାଗ ସଚିବ ହୋଇଛନ୍ତି ରାମଚନ୍ଦ୍ର ଯାଦବ, ଓଏମସିର ପରିଚାଳନା ନିର୍ଦ୍ଦେଶକ ଥିବା ମୋହନ ସାମଲଙ୍କୁ କଟକ ଆରଡିସିର ଅତିରିକ୍ତ ଦାୟିତ୍ୱ ମିଳିଛି । ଏଥିରେ ଥିବା ଗୁହା ପୁହାଣ ତାପସ କୁମାରଙ୍କୁ ଅପସାରଣ କରାଯାଇଛି । ଆଇଏଏସ୍ ରଶ୍ମିତା ପଣ୍ଡା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଓ ଏମଡି ସିଦ୍ଧିକି ଆଲମ ପବ୍ଲିକ୍ ଏଣ୍ଟପ୍ରାଇଜେସର ଆୟୁକ୍ତ ଓ ସଚିବ, ଏବଂ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
ମିଶନ ଶକ୍ତିର ଆୟୁକ୍ତ ଓ ସଚିବ ହୋଇଛନ୍ତି ମାନସୀ ନିମ୍ଭାଲ, ମତ୍ସ ସମ୍ପଦ ବିଭାଗର ଆୟୁକ୍ତ ଓ ସଚିବ ହୋଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ, ଓବିସିସିର ଅତିରିକ୍ତ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନେଇଛନ୍ତି ଅନୁପମ ଶାହ ଏବଂ ସଂଗ୍ରାମ କେଶରୀ ମହାପାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତରାଞ୍ଚଳ ଆରଡିସିର ଅତିରିକ୍ତ ଦାୟିତ୍ୱ ବହନ କରିବେ ।