ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦରେ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ ଏଯାଏ ୪୯ଟି ଶୁଣାଣି ହୋଇସାରିଲାଣି । ତେବେ ଉଭୟ ପଡ଼ୋଶୀ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ସହମତି ପ୍ରକାଶ କରିଥିବା ଗୁରୁବାର ଲୋକସଭା ଗୃହରେ ଉତ୍ତର ରଖିଛନ୍ତି ରାଷ୍ଟ୍ର ଜଳ ଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ ।
ମହାନଦୀ ଜଳ ବିବାଦ ପ୍ରସଙ୍ଗ ଲୋକସଭାରେ ଉଠିଛି । ବିଜେପି ସାଂସଦ ପ୍ରଦୀପ ପୁରୋହିତ ମହାନଦୀ ଜଳ ବିବାଦର ସମାଧାନ ଏବଂ ଟ୍ରିବ୍ୟୁନାଲକୁ ନେଇ କେନ୍ଦ୍ର ଜଳ ଶକ୍ତି ବିଭାଗକୁ ପ୍ରଶ୍ନ କରିଛନ୍ତି । ସାଂସଦ ପୁରୋହିତ ଛତିଶଗଡ଼ ଦ୍ୱାରା ଉପରମୁଣ୍ଡ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଛି ଯାହା ଓଡ଼ିଶାରେ ଜଳସେଚନ, ପାନୀୟ ଜଳ ଏବଂ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ଏବଂ ଯଦି ଥାଏ ତେବେ ଏହାର ବିବରଣୀ ପ୍ରଦାନ କରିବାକୁ ଦାବି କରିଥିଲେ । ସେହିପରି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ (MWDT) ଗଠନ କରାଯାଇଥିଲା କି ନାହିଁ ତାହାର ବିବରଣୀ ସହିତ ଏହାର କାର୍ଯ୍ୟପନ୍ଥାର ବର୍ତ୍ତମାନର ସ୍ଥିତି ଜାଣିବାକୁ ଚାହିଁଥିଲେ । ଉଭୟ ରାଜ୍ୟ ମଧ୍ୟରେ ସମାନ ଜଳ ବଣ୍ଟନର ଅନ୍ତରୀଣ ଏବଂ ଚୂଡ଼ାନ୍ତ ରିପୋର୍ଟ ମଧ୍ୟ ମାଗିଥିଲେ । ତେବେ ଜଳ ଶକ୍ତି ଶ୍ରୀଯୁକ୍ତ ଚୌଧୁରୀ ଗୃହରେ ଲିଖିତ ଆକାରରେ ଉତ୍ତର ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର ୧୯ ନଭେମ୍ବର ୨୦୧୬ ତାରିଖରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ର ଧାରା ୩ ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। କେନ୍ଦ୍ର ସରକାର ଆଇନର ଧାରା ୪(୧) ଅନୁଯାୟୀ ୧୨ ମାର୍ଚ୍ଚ ୨୦୧୮ ତାରିଖରେ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ ଏବଂ ଓଡ଼ିଶା ଦ୍ୱାରା ଉଠାଯାଇଥିବା ଜଳ ବିବାଦ ପ୍ରସଙ୍ଗକୁ ବିଚାର ପାଇଁ ମାନ୍ୟବର ଟ୍ରିବ୍ୟୁନାଲକୁ ପଠାଇଥିଲେ । ଚଳିତ ଟ୍ରିବ୍ୟୁନାଲ ୨୯ ଅଗଷ୍ଟ ୨୦୨୦ର ଆଦେଶ ଅନୁଯାୟୀ ବିଚାର ପାଇଁ କିଛି ପ୍ରସଙ୍ଗ ଚୂଡ଼ାନ୍ତ କରିଛନ୍ତି । ଛତିଶଗଡ଼ ଦ୍ୱାରା ମହାନଦୀ ଅବବାହିକାରେ ୬ଟି ଶିଳ୍ପ ବ୍ୟାରେଜ୍ ନିର୍ମାଣ ସମ୍ପର୍କିତ ପ୍ରସଙ୍ଗ ଏବଂ ଓଡ଼ିଶା ରାଜ୍ୟରେ ତଳ ପ୍ରବାହ ଉପରେ କଥିତ ନିର୍ମାଣର ପ୍ରଭାବ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଟ୍ରିବ୍ୟୁନାଲ ପୂର୍ବରୁ ମାମଲାକୁ ଗ୍ରହଣ କରିଛନ୍ତି ।
ସେହିପରି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ଅଦ୍ୟାବଧି ମୋଟ 49ଟି ଶୁଣାଣି ହୋଇଛି । ସାକ୍ଷୀମାନଙ୍କୁ ଟ୍ରିବ୍ୟୁନାଲ ସମ୍ମୁଖରେ ଜେରା ପ୍ରକ୍ରିୟା ଜାରି ରହିଛି । ତେବେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ ସମ୍ମୁଖରେ ସହମତି ପ୍ରକାଶ କରିଛନ୍ତି । ଯାହାକି ବର୍ତ୍ତମାନ ବିଚାରଧୀନ ରହିଛି ।
ତେବେ ମାମଲାରେ ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ରିପୋର୍ଟ ଦାଖଲ କରିନାହାଁନ୍ତି । ମାମଲାଟି ଏପର୍ଯ୍ୟନ୍ତ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ୨୧ ଜୁନ ୨୦୨୩ରେ କେନ୍ଦ୍ର ସରକାର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ରିପୋର୍ଟ ଦାଖଲ ପାଇଁ ଟ୍ରିବ୍ୟୁନାଲକୁ ଦୁଇ ବର୍ଷର ମହଲତ ଦେଇଛନ୍ତି । କେନ୍ଦ୍ର ସରକାର ଟ୍ରିବ୍ୟୁନାଲକୁ ୧୪ ଏପ୍ରିଲ, ୨୦୨୪ ଠାରୁ ୧୩ ଏପ୍ରିଲ ୨୦୨୬ ଯାଏ ସମୟ ଦେଇଛନ୍ତି ।