ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଭାଗିଦାରୀର ଚୁକ୍ତି ପରେ ଓଡ଼ିଶା ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ମତ୍ସ୍ୟ ସମ୍ପଦ ଠାରୁ ଆରମ୍ଭ କରି ଖଣିଜ ସମ୍ପଦ ପର୍ଯ୍ୟନ୍ତ ଓଡ଼ିଶାର ବ୍ୟବସାୟ ପୁଣି ଥରେ ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି, ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ଼ ପୋଷାକ; ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫଳରେ ଏବେ ସବୁଠି ଓଡ଼ିଶାର କାରିଗରୀ ପହଞ୍ଚିବ । ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ, ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ। ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ।
ସେହିପରି ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ଦେବ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବା ସହ ଓଡ଼ିଶା 'ବ୍ଲୁ-ଇକୋନୋମି'ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ।
ସେହିପରି ଏହି ବୈଷୟିକ ଭାଗିଦାରୀ ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ ଯାଉଛି । ଓଡ଼ିଶାରେ ଥିବା Rare-Earth Mineralsର ବୈଶ୍ଵିକ ଚାହିଦା ବୃଦ୍ଧି ପାଇଲେ, ଆମ ରାଜ୍ୟ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳୀ ହେବ। ଏହି ଚୁକ୍ତି ଓଡ଼ିଶାର ଖଣିଜ ସମ୍ପଦକୁ 'ଗ୍ଲୋବାଲ୍ ଟେକ୍' ସହ ଯୋଡ଼ିବା ନେଇ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।