ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଏବେ ଶିଳ୍ପ ତାଲିମ ଅନୁଷ୍ଠାନ ବା ଆଇଟିଆଇ ଚିନ୍ତା ଘାରିଛି । ଏଣିକି ପ୍ରତି ମାସରେ ସମସ୍ତ ସରକାରୀ ଆଇଟିଆଇରେ ସମୀକ୍ଷା କରାଯିବ । ଏ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସମସ୍ତ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଆଇଟିଆଇ କେନ୍ଦ୍ରର ଭିତ୍ତିଭୂମି, ପଞ୍ଜିକରଣ, ତାଲିମ ଭିତ୍ତିଭୂମି, କର୍ମଚାରୀ ସଂଖ୍ୟା, ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଅନୁଷ୍ଠାନର ସାମଗ୍ରିକ ପରିଚାଳନା ଏବଂ ଅନ୍ୟାନ୍ୟ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ପ୍ରତି ମାସର ଦ୍ୱିତୀୟ ମଙ୍ଗଳବାର ୧୧ଟାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବୈଠକ ଭର୍ଚୁଆଲ୍ କିମ୍ବା ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ହେବ । ଯଦି ଏଥିରେ କୌଣସି ପରିବର୍ତ୍ତନ କରାଯାଏ ତେବେ ପରବର୍ତ୍ତୀ ସମୟରେ ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।