ବିଜାପୁର: ଭୁଷୁଡୁଛି ଲାଲ୍ଗଡ଼। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ସେମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ୪୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ଏମାନେ ଏକେ-୪୭, ଏସ୍ଏଲ୍ଆର୍ ବନ୍ଧୁକ, ୨୫୦ଟି ଜେଲାଟିନ୍ ଷ୍ଟିକ, ୪୦୦ଟି ଡିଟୋନିଟର ସହ ବିଜାପୁର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି। ବିଜାପୁର ଜିଲ୍ଲାରେ ୧ ଜାନୁଆରୀ ୨୦୨୪ ରୁ ଏପର୍ଯ୍ୟନ୍ତ ୮୮୮ ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି। ୧୧୬୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବିଭିନ୍ନ ଏନକାଉଣ୍ଟରରେ ୨୩୧ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ପୋଲିସର ଅପିଲ
"ପୁନା ମର୍ଜେମ" ଅଭିଯାନ ଏବଂ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ, ଆତ୍ମସମର୍ପଣ କରିଛନ୍ତି ଏହି ମାଓବାଦୀ। ସମସ୍ତଙ୍କୁ ଆର୍ଥିକ ସହାୟତା ସହିତ ପୁନର୍ବାସ କରାଯିବ। ବିଜାପୁର ପୋଲିସ ଅଧିକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ "ପୁନା ମାର୍ଗେମ" ଅଭିଯାନ କେବଳ ଆତ୍ମସମର୍ପଣ ବିଷୟରେ ନୁହେଁ, ବରଂ ମାଓବାଦୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ସେ ଅବଶିଷ୍ଟ ମାଓବାଦୀମାନଙ୍କୁ ହିଂସାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ନିର୍ଭୀକ ଭାବରେ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିବେଦନ କରିଛନ୍ତି। ସରକାର ସେମାନଙ୍କ ସୁରକ୍ଷା, ପୁନର୍ବାସ ଏବଂ ଭବିଷ୍ୟତ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି।
ଅଧିକ ପଢନ୍ତୁ: ମମତାର ଆତ୍ମସମର୍ପଣ ପରେ ମାଓ ମୁକ୍ତ ହେଲା କୋରାପୁଟ