କୋରାପୁଟ: ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ଼ ସଫଳତା ପ୍ରାପ୍ତି ହୋଇଛି । ଆଜିଠାରୁ ମାଓ ମୁକ୍ତ ହୋଇଛି କୋରାପୁଟ ଜିଲ୍ଲା । ସିପିଆଇ ମାଓବାଦୀ ମମତା ପୋଡ଼ିଆମୀର ଆତ୍ମସମର୍ପଣ ସହିତ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ।
ମମତା ପୋଡ଼ିଆମୀ ବନ୍ଧୁକ ସହିତ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛି । ସେ ଛତିଶଗଡ଼ ବୀଜାପୁର ଜିଲ୍ଲା ପେମଡ ଥାନା ଲିଙ୍ଗାପୁରମ ଗ୍ରାମର ମୂଳ ବାସିନ୍ଦା ଅଟେ । ଏହି ସମୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ବିଏସ୍ଏଫ୍ ଡିଆଇଜି, ବିଏସଏଫ୍ କମାଣ୍ଡାଣ୍ଟ, ଜୟପୁର ଏସଡିପି ପ୍ରମୁଖ ଉପସ୍ଥିତ ଥିଲେ । ମମତା ଏସ୍ଏଲ୍ଆର୍ ବନ୍ଧୁକ, ମାଗାଜିନ ଏବଂ ୧୦ଟି ଗୁଳିକୁ ଏପସିଙ୍କ ନିକଟରେ ଦାଖଲ କରିଛି । ଏହି ଆତ୍ମସମର୍ପଣ ସିପିଆଇଏମକୁ ଏକ ବଡ଼ ଧକ୍କା ବୋଲି କହିଛନ୍ତି ଏସପି ।
ଓଡ଼ିଶା ସରକାରଙ୍କ ଘୋଷଣା ଅନୁଯାୟୀ ମମତାକୁ ୫ ଲକ୍ଷ ୫୦ ହଜାର ଟଙ୍କା ସହିତ ବନ୍ଧୁକ ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରାଯିବ । ଆତ୍ମସମର୍ପଣ ସମୟରେ ଅନ୍ତରୀଣ ସହାୟତା ରାଶି ବାବଦକୁ ୫୦ ହଜାର ଟଙ୍କା ଦିଆଯାଇଛି । ସେହିପରି ଅନ୍ତୋଦୟ ଗୃହ ଯୋଜନାରେ ଘର ଏବଂ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରା ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଆଦି ଦିଆଯିବ ।
ଅନ୍ୟ ଯେଉଁମାନେ ବି ମାଓ ହିଂସାରେ ଜଡ଼ିତ ଅଛନ୍ତି, ସମସ୍ତେ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି କ୍ୟାଡର୍ ମାଓବାଦୀ ସୁକ୍ରାମ ମାଡ଼କାମ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲା । ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ମଙ୍ଗଳାବର ଦିନ ରାଉରକେଲା ପୋଲିସ ନିକଟରେ 18 ବର୍ଷିୟ ମାଓବାଦୀ ପ୍ରଭୁ ଆତ୍ମସମର୍ପଣ କରିଥିଲା । ଦକ୍ଷିଣାଞ୍ଚଳ ଆଇଜି ବ୍ରିଜେୟ କୁମାର ରାଏ ଏବଂ ରାଉରକେଲା ଏସପି ନିତେଶ ଗଡ଼ୱାନୀ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ସେ ଝାଡ଼ଖଣ୍ଡ ଦକ୍ଷିଣ ସିଂହଭୂମ ଜିଲ୍ଲାର ଛୋଟନାଗ୍ରା ଥାନା ହାଲାମୁଲି ଗ୍ରାମର ମୂଳ ବାସିନ୍ଦା ଅଟେ ।