ଭୁବନେଶ୍ୱର: ବଦଳିବ ଇଂରାଜୀ ନାମ । ଆଉ ଓଡ଼ିଶାର କୌଣସି ସ୍ଥାନର ନାମ ଇଂରାଜୀ ବନାନରେ ଲେଖାଯିବ । ଯାହା ରହିଛି ଓଡ଼ିଆ ନାମ ସେହି ଅନୁସାରେ ଇଂରାଜୀରେ ଲେଖାଯିବ । ରାଜ୍ୟ ୭ ଜିଲ୍ଲାର ଇଂରାଜୀ ନାମ ଏବଂ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମକୁ ସଂଶୋଧନ କରିବାକୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ଦିନ ଭିତରେ ଅଭିଯୋଗ କିମ୍ବା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।
ଯେମିତି ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ‘ଖୋରଧା’ ଲେଖାଯିବ । ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ ବୋଲି ଲେଖାଯିବ । ସେହିପରି ଅନେକ ସ୍ଥାନରେ ‘ଡ଼’ ପାଇଁ ଇଂରାଜୀରେ ‘ଆର’ ଲେଖାଯାଏ । ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡାକୁ ମହାକାଳପରା, ନୟାଗଡକୁ ନୟାଗର ବୋଲି ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ ।
ସଂଶୋଧିତ ହେବାକୁ ଥିବା ୭ ଜିଲ୍ଲା ନାମ
ଦେବଗଡ଼ ଜିଲ୍ଲା ଆଉ ଇଂରାଜୀ ଦେଓଗର (Deogarh) ନ ଲେଖାଯାଇ ସଂଶୋଧିତ ହୋଇକି ଦେବଗଡ଼ (Debagarh) ହିଁ ଲେଖାଯିବ । ସେହିପରି କନ୍ଧମାଳକୁ ଖଣ୍ଡମାଳ (Khondmal) ନ ଲେଖାଯାଇ କନ୍ଧମାଳ (Kandhamal), ଖୋର୍ଦ୍ଧାର ଖୋରଧା (Khoradha), ଅନୁଗୁଳ (Angul) ବଦଳରେ ଅନୁଗୋଳ (Anugol), ବାଳାଶ୍ୱର (Balasore) ପରିବର୍ତ୍ତେ ବାଲେଶ୍ୱର (baleshwar), କେନ୍ଦ୍ରାପରା (Kendrapara) ବଦଳରେ କେନ୍ଦ୍ରାପଡ଼ା (Kendrapada), କେଉଁଝରର (Keonjhar) କେନ୍ଦୁଝର (Kendujhar) ଏବଂ ନୟାଗର (Nayagarh) ବଦଳରେ ନୟାଗଡ଼ (Nayagada) ଲେଖାଯିବ ।
ସଂଶୋଧିତ ହେବାକୁ ଥିବା ୨୪ ସ୍ଥାନର ନାମ
ମାଲକାନଗିରି ଜିଲ୍ଲାର ପଡ଼ିଆ (Padia)କୁ ଆଉ ଇଂରାଜୀରେ ପୋଡ଼ିଆ (Podia) ଲେଖାଯିବ ନାହିଁ । ସେହିପରି ଦେବଗଡ଼ ଜିଲ୍ଲାର ରେମାଳ (Reamal)କୁ ସଂଶୋଧିତ କରାଯାଇ ରିଆମାଳ (Riamal) ଲେଖାଯିବ । ଖୋରଧା ଜିଲ୍ଲାର ବୋଲଗର (Bolagarh)କୁ ବୋଲଗଡ଼ (Bolagada), ବାଣପୁର, ଜଟନୀ (Jatni) ବଦଳରେ ଜଟଣୀ (Jatani), ଅନୁଗୋଳ ଜିଲ୍ଲା ପାଲଲହରା (Pallahara)କୁ ପାଲଲହଡ଼ା (Palalahada), କଟକ ଜିଲ୍ଲାର ଆଠଗର (Athagarh) ବଦଳରେ ଆଠଗଡ଼ (Athagada), ସାଲିପୁର (Salipur) ବଦଳରେ ସାଲେପୁର (Salepur), ବରମ୍ବା (Baramba) ବଦଳରେ ବଡ଼ମ୍ବା (Badamba), ବାଲେଶ୍ୱରର ନୀଲଗିରି (Nilgiri) ବଦଳରେ ନୀଳଗିରି (Nilagiri), କେନ୍ଦ୍ରାପଡ଼ାର ଆଉଲ୍ (Aul) ବ୍ଲକ୍ ବଦଳରେ ଆଳି (Ali), ମହାକାଳପରା (Makalapara)ପରିବର୍ତ୍ତେ ମହାକାଳପଡ଼ା (Mahakalapada), କେନ୍ଦୁଝରର ବରବିଲ୍ (Barbil) କୁ ସଂଶୋଧିତ କରାଯାଇ ବଡ଼ବିଲ (Badbil), କେଉଁଝରଗଡ଼ (Keonjhargarh) ବଦଳରେ କେନ୍ଦୁଝରଗଡ଼ (Kendujhargarh), ସମ୍ବଲପୁରର ରାଇରାଖୋଲ (Rirakhol) ବଦଳରେ ରେଢ଼ାଖୋଲ (Redhakhol) ଏବଂ ନୟଗାଡ଼ ଜିଲ୍ଲା ଦଶପଲ୍ଲା (Dashapalla) ଲେଖାଯିବ ।