ନୟାଗଡ଼: ନୟାଗଡ଼ ଜିଲ୍ଲା ରିଜର୍ଭ ପୋଲିସ କ୍ୟାମ୍ପସ୍ ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କନଷ୍ଟେବଳ ବାରାକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେ ହେଲେ ଓଡ଼ଗାଁ ଥାନା ବେରୁଁଆ ଗ୍ରାମର ସୁନୀଲ ସେଠୀ । ପୋଲିସ ମୃତ ଦେହକୁ ଜବତ କରିଛି ।
ସୁନୀଲ ୨୦୨୩ ବ୍ୟାଚର କନଷ୍ଟେବଳ ଅଟନ୍ତି । ସୁନୀଲ ଗତକାଲି ରାତିରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ଆଜି ସକାଳେ ବାରାକର ଛାତ ଉପରେ ଥିବା ଏକ ପାଣି ଟାଙ୍କି ପାଖରେ ତାଙ୍କର ମୃତ ଦେହ ପଡ଼ିଥିବାର ସହକର୍ମୀମାନେ ଦେଖି ଥିଲେ । ସେ ନିଜ ସର୍ଭିସ୍ ବନ୍ଧକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ପୋଲିସ ପକ୍ଷରୁ ପରିବାରକୁ ଖବର ଦିଆଯାଇଛି । ପରିବାର ସଦସ୍ୟ କହିଛନ୍ତି ଯେ ସେ ଗତକାଲି ରାତିରେ ବହୁତ ଭଲରେ କଥା ହୋଇଥିଲେ । ଆଜି ସକାଳେ ସେ ଘରକୁ ଯାଇଥାଆନ୍ତେ । ସୁନୀଲଙ୍କର ମାସେ ତଳେ ନିର୍ବନ୍ଧ ମଧ୍ୟ ସରିଥିଲା । ସେ ଖୁବ ଶୀଘ୍ର ବିବାହ କରିଥାଆନ୍ତି । ତାଙ୍କର କୌଣସି ମାନସିକ ଦୁଶ୍ଚିନ୍ତା ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା କେହି କିଛି ବୁଝି ପାରୁ ନାହାଁନ୍ତି ।
ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଦେଇଛି । ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।