କଟକ: କଟକ ଜିଲ୍ଲାରୁ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଆସନ୍ତା ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଘର ଗଣନା କରାଯିବ । ଏପ୍ରିଲ ୧୫ ସୁଦ୍ଧା ଘର ଗଣନା କାର୍ଯ୍ୟ ଶେଷ ହେବ । ଏହା ପରେ ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କାର୍ଯ୍ୟ ଶେଷ ହେବା ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ସୂଚନା ଦେଇଛନ୍ତି । ତେବେ ଏଥର ଜନଗଣନା କାର୍ଯ୍ୟକୁ ସଂପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ କରାଯିବା ବୋଲି ସୂଚନା ମିଳିଛି ।
ସୂଚନାଥାଉକି, ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁସାରେ ଏପ୍ରିଲ 16ରୁ ଓଡ଼ିଶାରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା । ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଘର ଗଣନା କରାଯିବ । ସଂଗ୍ରହ ତଥ୍ୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଯଥା ଘର ସଂଖ୍ୟା, ଗୃହ, କାନ୍ଥ ନିର୍ମାଣ ସାମଗ୍ରୀ, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ । ସେହିପରି ଘରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥା ଟିଭି, ମୋବାଇଲ, ରେଡିଓ, ଓ ଲାପଟପ୍ ଇତ୍ୟାଦି ଏବଂ ଯାନବାହାନର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।
୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ ।