ଭୁବନେଶ୍ୱର: ଏଣିକି ରାଜସ୍ୱ ସେବାରେ ଆଉ କୌଣସି ମଧ୍ୟସ୍ଥି ରହିବେ ନାହିଁ । ହାତ ପାହାନ୍ତାରେ ମିଳିଯିବ ରାଜସ୍ୱ ସେବା । ଆଉ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ମଧ୍ୟସ୍ଥିମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଆମ ସାଥି ଆପ୍' ଏବଂ ‘ହ୍ୱାଟସ୍ଆପ୍ ବଟ୍’ର ଶୁଭାରମ୍ଭ କରିଛନ୍ତି ।
ଲୋକସେବା ଭବନରେ ଉନ୍ମୋଚନ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏହି ଦୁଇଟି ସେବା ଶୁଭାରମ୍ଭ କରିଛନ୍ତି । ୯୪୩୭୨୯୨୦୦୦ ୱାଟ୍ସଆପ୍ ନମ୍ବର ମାଧ୍ୟମରେ ଲୋକମାନେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦ୍ରିକ ସେବା ଗୁଡିକ ସହ ୧୭୦ରୁ ଉର୍ଦ୍ଧ୍ୱ ଜରୁରୀ ସରକାରୀ ସେବାର ଲାଭ ଉଠାଇ ପାରିବେ । ଏହା ୨୪ ଘଣ୍ଟା ସେବା ଯୋଗାଇବ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ୱ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ମୁଖ୍ୟମନ୍ତ୍ରୀ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସମର୍ପିତ ସରକାର ଭାବେ ଆମେ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ କରିଛୁ। ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ମଧ୍ୟସ୍ଥିମୁକ୍ତ କରିବା ପାଇଁ ଆମେ ବ୍ୟାପକ ସଂସ୍କାର ଆଣିଛୁ। ଏବେଠାରୁ 'ଆମ ସାଥି ଆପ୍' ଏବଂ ହ୍ୱାଟସ୍ଆପ୍ ବଟ୍ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବା ଲୋକଙ୍କ ନିକଟରେ ଉପଲବ୍ଧ ହେବ। ଏହା ମଧ୍ୟସ୍ଥିଙ୍କ ପ୍ରଭାବକୁ ମଧ୍ୟ ଦୂର କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ଏବେ ଘରେ ବସି ସହଜରେ ବିଭିନ୍ନ ପ୍ରମାଣପତ୍ର ଓ ଅନ୍ୟାନ୍ୟ ରାଜସ୍ୱ ସେବା ପାଇପାରିବେ, ଯାହା ବ୍ୟବସ୍ଥାରେ ମଧ୍ୟସ୍ଥିଙ୍କ ପ୍ରଭାବକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବ। ସେବା ପ୍ରଦାନରେ ସ୍ୱଚ୍ଛତା ହିଁ ଜନତାଙ୍କ ଭରସାକୁ ମଜବୁତ କରିବ ଏବଂ ଏହି ସ୍ୱଚ୍ଛତା ହିଁ ‘ବିକଶିତ ଓଡ଼ିଶା’ ଗଠନର ମୂଳଦୁଆ ସାଜିବ।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।