ଭୁବନେଶ୍ୱର: କୁଆଡ଼େ ଗଲେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର। ଗତ ୩ ତାରିଖରୁ ହଠାତ ମଝି ସମୁଦ୍ରରୁ ସେ ନିଖୋଜ ହୋଇଯାଇଥିବା ବେଳେ ଏବେ ତାଙ୍କ ସଂପର୍କରେ କୌଣସି ପତ୍ତା ମିଳୁନାହିଁ, ଯାହାକୁ ନେଇ ପରିବାର ଲୋକ ବହୁତ ଚିନ୍ତିତ ଅଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ସନ୍ଧାନ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ନବୀନ।
କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା ସମଗ୍ର ଓଡ଼ିଶାରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି। ଘଟଣା ମୁତାବିକ, ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jersey ରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ। ସିପ୍ ସିଙ୍ଗାପୁର ରୁ ଚାଇନକୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ରହସ୍ୟମୟ ଭାବେ ଗାୟବ ହୋଇଛନ୍ତି ଭଦ୍ରକର ସାର୍ଥକ।
୩ ତାରିଖ ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା। କିନ୍ତୁ ସକାଳ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସେ ରହିବା ସ୍ଥାନ, ଡେକ୍ ଏବଂ ଅନ୍ୟାନ୍ୟ ଅଂଶକୁ ଯାଞ୍ଚ ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳି ନ ଥିଲା। ସକାଳ ପ୍ରାୟ ୯ଟା ୪୦ରେ ଜାହାଜର ‘ସାଧାରଣ ସତର୍କ ଘଣ୍ଟି’ ବଜାଯାଇ ସମସ୍ତ କ୍ରୁ ସଦସ୍ୟଙ୍କ ଗଣନା କରାଯାଇଥିବାବେଳେ ସାର୍ଥକଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହା ପରେ ଜାହାଜର ଗତି କମାଇ ଦିଆଯାଇ ସନ୍ଧାନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାହାଜରୁ ଏକ ବିପଦ ସଙ୍କେତ ଜାରି କରାଯାଇଥିଲା ଏବଂ ନିକଟସ୍ଥ ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଅବଗତ କରାଯାଇଥିଲା। ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର, ମରିସସ୍କୁ ମଧ୍ୟ ସତର୍କ କରାଯାଇଛି। ଆଖପାଖ ସମୁଦ୍ର ଅଞ୍ଚଳରେ ନିରନ୍ତର ସନ୍ଧାନ ଅଭିଯାନ ଜାରି ରହିଛି।
କମ୍ପାନୀ ତରଫରୁ ତାଙ୍କ ପରିବାରକୁ କେବଳ କୁହାଯାଇଛି, ସାର୍ଥକ ମିସିଙ୍ଗ (ନିଖୋଜ) ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଛି। କିନ୍ତୁ ପୁଅ ସହ କଣ ହୋଇଛି, କେମିତି ନିଖୋଜ ହେଲେ ସେ ବିଷୟରେ କୌଣସି ସୂଚନା କମ୍ପାନୀ ତରଫରୁ ଦିଆଯାଇନାହିଁ। ପୁଅକୁ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାର। ସାର୍ଥକ ମହାପାତ୍ରଙ୍କ ପରିବାର ଅପଡେଟ୍ ପାଇଁ ଅପେକ୍ଷା କରି ରହିଛନ୍ତି। ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଏହି ପ୍ରସଙ୍ଗକୁ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଅଧିକ ପଢନ୍ତୁ: ସହରରେ ଗରୀବଙ୍କ ପାଇଁ ରହିବନି ଘର ଭଡ଼ା ଚିନ୍ତା, ଭଡ଼ା ଘର ଯୋଗାଇ ଦେବେ ସରକାର