ପୁରୀ: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି । ଅଣସର ଘରେ ଚତୁର୍ଦ୍ଧାମୂରତିଙ୍କର ଗୁପ୍ତ ସେବା କରାଯାଉଛି । ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ଆଜି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ । ଦଇତାପତି ସେବକ, ପତି ମହାପାତ୍ର ସେବକ ମାନେ ଆଜି ରୂପା ଥାଳିରେ ଶ୍ରୀଜିଉ ଅଙ୍ଗ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯିବେ । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେବେ ।
ଗତକାଲି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଶମୀରେ ଶଯ୍ୟା ଛାଡି ଅଣସର ଘରେ ଚକାରେ ବିଜେ ହୋଇଥିଲେ ଶ୍ରୀଜିଉ । ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଷଷ୍ଠୀରୁ ନବମୀ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଖଳିଲାଗି ଏକାଦଶୀ (ଗତକାଲି) ଠୁ ଠାକୁରମାନଙ୍କୁ ଖଳି ଲାଗି କରାଯାଇଛି । । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଗୋଟେପଟେ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଶ୍ରୀନହରକୁ ଯିବ । ଅନ୍ୟପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।