ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ଚାଗିଦ୍ ସତ୍ତ୍ୱେ ସୁଧୁରିବାର ନାଁ ଧରୁ ନାହିଁ ଇସ୍କନ । ଇସ୍କନର ଏହି ମନମୁଖି କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର ବୋଲି କହିଛନ୍ତି ଗଜପତି ମହାରାଜ ।
ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ ଦେଇ ଅଦିନିଆ ରଥଯାତ୍ରାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଗଜପତି କହିଛନ୍ତି, ଜଗନ୍ନାଥ ସଂସ୍କୃତି ନାଁରେ ଯେଉଁ ଅପ୍ରଚାର ଚାଲିଛି, ତାକୁ ଦୃଷ୍ଟି ନ ଦେଲେ ପ୍ରଚାର ପ୍ରସାର କଲେ କାମ ଦେବ ନାହିଁ । ଏହା ଭୟଙ୍କର ଅପପ୍ରଚାର । ଆମେ ହେଉଛୁ ବହୁତ ଦୟାଳୁ, ସବୁକିଛି ସହିଲୁ ଏଇଟା ହେଉଛି ଅସୁବିଧା । ଯଦି ଅନ୍ୟ କୌଣସି ସମ୍ପ୍ରଦାୟ କିମ୍ବା ଧର୍ମ ହୋଇଥାଆନ୍ତା ତାହା ହେଲେ ଏଇଟା କେବେ ହେବ ନାହିଁ, କଣ କଣ ହୋଇଥାଆନ୍ତା କେହି ଚିନ୍ତା କରିପାରିବେ ନାହିଁ । ଅଦିନିଆ ରଥଯାତ୍ରା ଏକ ବ୍ୟତିକ୍ରମ । ଶ୍ରୀମନ୍ଦିର ଇସ୍କନ ସହ ଏ ସମ୍ପର୍କରେ ଆଲୋଚନା କରି ବିଫଳ ହୋଇଛି । ଗତ ଅକ୍ଟୋବର ମାସରେ ଉତ୍ତର ଆସିଲା ସେମାନେ ମାନିବେ ନାହିଁ । ଭାରତ ବାହାରେ ଅଦିନିଆ ରଥଯାତ୍ରା ପାଳନ ହେବ । ଇସ୍କନକୁ ଅନୁସରଣ କରି ଅନ୍ୟମାନେ ମଧ୍ୟ ସେଭଳି କରୁଛନ୍ତି । ଏହା ଆଗାମୀ ଦିନରେ ଏକ ଖରାପ ପରମ୍ପରା ସୃଷ୍ଟି କରିବ । ଅଦିନିଆ ରଥଯାତ୍ରାକୁ ନେଇ ଆଚାର୍ଯ୍ୟ ଓ ଭକ୍ତ ମାନେ ମତ ଦେବା ଆବଶ୍ୟକ । ଯଦି ଓଡ଼ିଶାରେ ଥିବା ଆଚାର୍ଯ୍ୟ ଏବଂ ଭକ୍ତମାନେ ସବୁକିଛି ଜାଣି ଚୁପଚାପ ରହିବେ ତାହାହେଲେ ଏହାର ସମାଧାନ ହେବ ନାହିଁ । ଜଗନ୍ନାଥ ଆଉ ଜଗତର ନାଥ ହୋଇ ରହିବେ ନାହିଁ ବରଂ ଭାରତ ନାଥ ହୋଇଯିବେ ବୋଲି କହିଛନ୍ତି ଗଜପତି ମହାରାଜ ।