ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆମେରିକା ଦୂତାବାସ ଶୁକ୍ରବାର ଇରାନରେ ରହୁଥିବା ନିଜର ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି । ଦୂତାବାସ ନିଜ ଲୋକଙ୍କୁ ତୁରନ୍ତ ଇରାନ ଛାଡି ଦେବାକୁ ପରାମର୍ଶ ଦେଇଛି । ଇରାନ ସରକାର ସୁରକ୍ଷା କଡାକଡି କରିବା ସହିତ ଅନେକ ସ୍ଥାନରେ ରାସ୍ତା ବ୍ଲକ କରୁଛନ୍ତି । ଏହା ସହିତ ବିମାନ ସେବା ସୀମିତ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢିବାରେ ଲାଗିଛି ।
ବଡ କଥା ଆମେରିକା ଓ ଇରାନ ମଧ୍ୟରେ ଶୁକ୍ରବାର ଆଣବିକ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ଓମାନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ହ୍ୱାଇଟ୍ ହାଉସ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ କୂଟନୀତି ଉପରେ କାମ କରୁଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବା ।
ଇରାନର ବୈଦେଶିକ ମନ୍ତ୍ରୀ ଏହି ଆଲୋଚନା ପାଇଁ ଗୁରୁବାର ବିଳମ୍ବିତ ରାତିରେ ଓମାନ ପହଞ୍ଚିଛନ୍ତି । ଆମେରିକା ପକ୍ଷରୁ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ସାମିଲ୍ ହେବେ । ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲିଭିଟ କହିଛନ୍ତି ମୁଖ୍ୟ ଦୂତ ଭାବେ ଷ୍ଟିଭ ୱିଟକଫ ଓ ଜେରେଡ କୁଶନର ଆଲୋଚନା ପାଇଁ ଓମାନ ପହଞ୍ଚିଛନ୍ତି ।
Updating...