ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ, ହେଲେ କ୍ଷୋଭର ବିଷୟ ଜଙ୍ଗଲ ନଷ୍ଟ ହେଉଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସୌଭାଗ୍ୟ, ଏଭଳି ଏକ ବିଦ୍ୟାଳୟରେ ଉପସ୍ଥିତ ରହି ବନ ମହୋତ୍ସବ ପାଳୁଛୁ । ବୃକ୍ଷ ରୋପଣ ବାର୍ତ୍ତା ଶ୍ରୀଲିଙ୍ଗରାଜଙ୍କ ମାଟିରୁ ସାରା ଓଡ଼ିଶାକୁ ଯିବ । ପରିବେଶର ସୁରକ୍ଷା ଆମ ସଭିଙ୍କ ଦାୟିତ୍ୱ । କିନ୍ତୁ କ୍ଷୋଭର ବିଷୟ ଜଙ୍ଗଲ ନଷ୍ଟ ହେଉଛି । ଯଦ୍ୱାରା ପରିବେଶର ସନ୍ତୁଳନ ବିଗୁଡିବା ସହିତ ଗ୍ଲୋବାଲ ୱାର୍ମିଙ୍ଗ ବଢୁଛି ଏବଂ ଋତୁ ଚକ୍ର ବଦଳୁଛି । ତେଣୁ ଏସବୁକୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମା'ମାନେ ପ୍ରକୃତିର ରକ୍ଷକ ଅଟନ୍ତି । ସେମାନେ ଘର ବାହାରେ ତୁଳସୀ ଓ ବେଲ ଗଛ ଲଗାଇଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଘର ବାହାରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଗତବର୍ଷ ୬ କୋଟିରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି । ଚଳିତବର୍ଷ ୭ କୋଟି ୫୦ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଆମ ସରକାର ଏବେ ଜଙ୍ଗଲ ନିଆଁକୁ ରୋକିବାକୁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇଛି । କିନ୍ତୁ ଜଙ୍ଗଲ ପାଖରେ ବାସକରୁଥିବା ଗ୍ରାମବାସୀଙ୍କ ଦାୟିତ୍ୱ ରହିଛି । ସେହିପରି ବଜ୍ରପାତ ରୋକିବା ପାଇଁ ଏବର୍ଷ ୧୮ ଲକ୍ଷ ତାଳ ଗଛ ଲାଗିବ । ଏଥିସହ 'ଏକ ସୁଭଦ୍ରା ଏକ ଗଛ ' ଅଭିଯାନକୁ ମଧ୍ୟ ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’। ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।
କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛି । ସମିତିର ଉଦ୍ୟମ ଯୋଗୁଁ ଗତ ତିନି ବର୍ଷରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ଏହା ସହିତ ମନୁଷ୍ୟ-ହାତୀ ସଂଘର୍ଷ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିପାରିଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି "ଏକ ପେଡ଼୍ ମା କେ ନାମ୍" ଯାହାର ଅର୍ଥ "ମା'ଙ୍କ ନାମରେ ଗୋଟିଏ ଗଛ"। ଏହି ବିଷୟବସ୍ତୁ ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା'ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି । ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣ ପାଇଁ ଜଙ୍ଗଲ ବହୁମୁଖୀ ହିତ ସାଧନ କରେ । ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ ଏବଂ ଜୈବ ବିବିଧତା ସଂରକ୍ଷଣରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଜୀବିକା ନିର୍ବାହରେ ସହାୟକ ହେବା ସଙ୍ଗେ ସଙ୍ଗେ କାଠ ଏବଂ ଖାଦ୍ୟ ଭଳି ସମ୍ବଳ ପ୍ରଦାନ କରିଥାଏ ।