ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଭଦ୍ରକ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ପାଇଁ ଭଦ୍ରକ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ରିଲିଫ୍ ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି, ଓଡ୍ରାଫ୍ ଓ NDRF ଟିମ୍ ମୁତୟନ ଅଛନ୍ତି ।
ଝାରସୁଗୁଡ଼ା, ସୁନ୍ଦରଗଡ଼ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ବନ୍ୟା ସ୍ଥିତି ସୃଷ୍ଟି ହୁଏ ତେବେ ସରକାର ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ତଳି ଅଞ୍ଚଳରେ ବନ୍ୟା ପାଣି ପଶିଲେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଓ NDRF ଟିମ୍ ମୁତୟନ ଅଛନ୍ତି । ଜଳ ଭଣ୍ଡାର ସ୍ତର ହ୍ରାସ ପାଉଛି । ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଲୋକମାନଙ୍କୁ ସତର୍କତାର ସହିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।