ଭୁବନେଶ୍ୱର: ଓଡ଼ିଶାର କମ୍ପାନୀ ବନଭି ଏରୋ (BonV Aero) ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଡ୍ରୋନ୍ ସିକିମ ଭୁସ୍ଖଳନ ପୀଡ଼ିତଙ୍କ ଉଦ୍ଧାର ପାଇଁ ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରିଛି । ଯେଉଁଠି ସୁରକ୍ଷାବାହିନୀ, ଉଦ୍ଧାରକାରୀ ଦଳ ଏବଂ ସନ୍ଧାନୀ କୁକୁର ପହଁଚି ପାରୁ ନାହାଁନ୍ତି ସେଠାରେ ପହଁଚୁଛି ଏହି ଡ୍ରୋନ୍ । ଯାହା ମାଟି ତଳେ ରହିଥିବା ମୃତ ଦେହକୁ ଖୋଜି ବାହାର କରୁଛି ।
ଗତ ମାସରେ, ଗ୍ୟାଙ୍ଗଟକ୍ ଠାରୁ ପ୍ରାୟ ୧୨୩ କିଲୋମିଟର ଦୂରରେ ଲାଚେନ୍ ଅଞ୍ଚଳରେ ଭୟଙ୍କର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ତିନି ଜଣ ସୈନିକଙ୍କ ଜୀବନ ଯାଇଥିଲା ଏବଂ ଛଅ ଜଣ ନିଖୋଜ ହୋଇଯାଇଥିଲେ । ଭୂସ୍ଖଳନର ୨୪ ଘଣ୍ଟା ମଧ୍ୟରେ BonV କମ୍ପାନୀର GPR ଡ୍ରୋନ୍ ବିପର୍ଯ୍ୟୟ ଅଞ୍ଚଳରେ ନିୟୋଜିତ କରାଯାଇଥିଲା । ଏହା ୦.୭୬ ମିଟର ଗଭୀରତା ଏବଂ ୦.୦୧୫ ମିଟର ରିଡିଂରେ ଦୁଇଟି ପ୍ରମୁଖ ସ୍ଥାନ ଚିହ୍ନଟ କରିଥିଲା ଯାହା ପରେ ମାନବ ଅବଶେଷକୁ ଚିହ୍ନଟ କରାଯାଇଥିଲା । ପୁନରୁଦ୍ଧାର ଦଳଗୁଡ଼ିକୁ ସଠିକତାର ସହିତ ମାର୍ଗଦର୍ଶନ କରାଇଥିଲା ଏହି ଡ୍ରୋନ୍ । କମ୍ପାନୀର ସିଇଓ ହେଉଛନ୍ତି ସତ୍ୟବ୍ରତ ଶତପଥୀ । ସେମାନେ ବିନା ଶୁଳ୍କରେ ସେନାକୁ ସାହାଯ୍ୟ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସିଇଓ ସତ୍ୟବ୍ରତ ଶତପଥୀ ।