ବ୍ରହ୍ମପୁର: ଅବହେଳିତ ହୋଇପଡ଼ିଛି ଦୀର୍ଘ ୫୫ ବର୍ଷର ହୋମିଓପାଥି କଲେଜ୍ । ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ । କେଉଁଠି ଅଧାପନ୍ତରିଆ ହୋଇପଡ଼ି ରହିଛି ନୂତନ କୋଠା ତ କେଉଁଠି ପଡ଼ିଛି ଗଦା ଗଦା ମଦ ବୋତଲ । ସେପଟେ ସନ୍ଧ୍ୟା ହେଲେ ଛାତିରେ ବଢ଼ୁଛି ମଦୁଆଙ୍କ ଡର ।
୧୯୬୯ ମସିହାରେ ନିର୍ମିତ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ନା କଲେଜର ଉନ୍ନତିକରଣ ହେଉଛି ନା ନୂତନ ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ସରୁଛି । ମହାବିଦ୍ୟାଳୟରେ ରହିଛି ଅନେକ ସମସ୍ୟା । କେଉଁଠି ମାଳ ମାଳ ମଦ ବୋତଲ ଗଡ଼ୁଛି ତ ଆଉ କେଉଁଠି କୁଢ଼ କୁଢ଼ ଅଳିଆ । କଲେଜର ବିଭିନ୍ନ କାନ୍ଥ ଫାଟି ଆଁ କଲାଣି । ଖାଲି ଏତିକି ନୁହେଁ ସନ୍ଧ୍ୟା ହେଲେ ଜମୁଛି ମଦୁଆଙ୍କ ଆଡ୍ଡା । ଲେଡିଜ୍ ହଷ୍ଟେଲ ସାମ୍ନାରେ ଥିବା ରାସ୍ତାରେ ଅସାମାଜିକ ଯୁବକମାନେ ବସି ଛାତ୍ରୀମାନଙ୍କୁ କରୁଛନ୍ତି ଅସଭ୍ୟ ଆଚରଣ । ଯେଉଁଥିବାପାଇଁ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେହିପରି ଉଭୟ ବୟଜ୍ ଓ ଲେଡିଜ ହଷ୍ଟେଲରେ ଡ୍ରେନେଜ ଓ ବିଦ୍ୟୁତ ସମସ୍ୟା ଭଳି ଅନେକ ସମସ୍ୟା ରହିଛି । ପାଇଖାନାର ସେଫ୍ଟି ଟାଙ୍କି ଉପର ଦେଇ ମଇଳା ପାଣି ବାହାରୁଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି ବୟଜ୍ ହଷ୍ଟେଲ ପରିସର । ଏଥିସହ କଲେଜରେ ଅଡିଟରିଅମ ନ ଥିବା ବେଳେ ବହୁ କୋଠା ଏବେ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଅନ୍ୟପକ୍ଷରେ ନୂତନ ରୂପେ ଏକ କୋଠାର ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲି ଆସୁଥିବାବେଳେ ତାହା ଏବେ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଦୁର୍ବଳ କାମ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କୋଠାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଖୋଲା ମେଲା ଅବସ୍ଥାରେ କୋଠଟି ପଡ଼ି ରହିଛି ।
ସେହିପରି ୨୦୧୩, ଫାଇଲିନ ବାତ୍ୟା ପରେ ଅଡିଟୋରିଅମ ରୁମ ଭାଙ୍ଗିଯିବା ଦ୍ଵାରା ପିଲାଙ୍କ ପାଠ ପଢ଼ା ପାଇଁ ରଖାଯାଇଥିବା ଡେଡ୍ ବଡି ନଷ୍ଟ ହୋଇଯାଇଛି । ଯାହାଦ୍ଵାରା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ଅଲଗା ଅଲଗା ଭାବେ ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଥିବା କଥା ପ୍ରକାଶ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତେବେ ଏ ନେଇ କଲେଜ ଅଧ୍ୟକ୍ଷା ଡ଼ା ଗୀତାଞ୍ଜଳି ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପୁଜି ଥିବା ସମସ୍ତ ସମସ୍ୟାକୁ ଗୁରୁତର ଭାବେ ନିଆଯିବା ସହ ଯଥାଶୀଘ୍ର ସେଗୁଡ଼ିକର ସମାଧାନ କରାଯିବ ବୋଲି କହିଛନ୍ତି ।