ପୁରୀ: ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଅଛନ୍ତି । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଉପଚାର । ଏହି ସମୟରେ ରତ୍ନ ସିଂହାସନରେ ପଟିଦିଅଁ ପୂଜା ପାଉଥିବାବେଳେ ଅନ୍ୟପଟେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କୁ ଜ୍ବରରୁ ଉପଶମ ପାଇବା ପାଇଁ ଅଣସର ଘରେ ଦଇତାପତି ସେବାୟତମାନଙ୍କ ଦ୍ୱାରା ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ କରାଯାଇଛି ।
ଏହା ପରେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଶମ ପାଇଁ ଫୁଲୁରି ତେଲ ଲାଗି ହେବ । ଏହି ଫୁଲୁରି ତେଲ ପ୍ରତିବର୍ଷ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗାଯାଇଥାଏ । ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଚତୁର୍ଦ୍ଧାବିଗ୍ରହଙ୍କ ଜ୍ବର କମାଇବା ପାଇଁ ଏହି ତେଲ ଲାଗି କରାଇଥାନ୍ତି । ଏହି ତେଲରେ ଘଣା ପେଡା ରାଶି ତେଲରେ କେତକୀ, ଜୁଇ ଜାଇ, ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗଧାନ ଓ ବେଣାଚେର ପରି ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ପ୍ରସ୍ତୁତ କରାଯାଏ ।
ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କର ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଜ୍ଵର ଭଲ ହେବା ପରେ ରଥକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥନିର୍ମାଣ କାମ ସହ ବଡ଼ଦାଣ୍ଡରେ ସୁନ୍ଦର ଚିତ୍ର ମଧ୍ୟ ଅଙ୍କନ କରାଯାଇଛି । ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।