ଲାଞ୍ଚ ନେବା ବାବୁଙ୍କୁ ପଡିଲା ମହଙ୍ଗା। ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଡିଭିଜନର ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ (OLIC)ର ଦୁଇଜଣ ଯନ୍ତ୍ରୀଙ୍କୁ ଜଣେ ଠିକାଦାରଙ୍କଠାରୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି। ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।
ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁହେଁ ଗିରଫ ହୋଇଛନ୍ତି। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍କୁ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ସୂଚନା ମୁତାବିକ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍ (ପ୍ରାୟ ୫ ଲକ୍ଷ) ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହ୍ସାବରେ ୨୮ହଜାର ରହିଥିଲା। ମୋଟ୍ ୬୦,୦୦୦ହଜାର ଟଙ୍କା ନ ଦେଲେ ବିଲ୍ ପାସ୍ ହେବ ନାହିଁ ବୋଲି ଠିକାଦାରଙ୍କୁ ରୋକଠୋକ କହିଥିଲେ। ଏଥିରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଯାହା ଫଳରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହରେକୃଷ୍ଣ ସିଂହଙ୍କ ଦୁଇଟି ଠିକଣା ଏବଂ ସୁବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।
ଅଧିକ ପଢନ୍ତୁ: ଲାଞ୍ଚ ନେଇ ଫସିଗଲେ ଥାନାବାବୁ; କଟକ ସିଆରଆରଆଇ ଥାନା ଆଇଆଇସିଙ୍କୁ ଗିରଫ କଲା ଭିଜିଲାନ୍ସ